ରାୟପୁର: ଛତିଶଗଡ଼ର ଜଣେ ଶିକ୍ଷକ ତାଙ୍କ ଛାତ୍ରମାନଙ୍କୁ ‘ମୁଁ ଗଧ’ ବୋଲି କହିବାକୁ ବାଧ୍ୟ କରୁଥିବା ବେଳର ଏକ ଭିଡିଓ ସୋସିାଲ୍ ମିଡିଆରେ ଭାଇରାଲ୍ ହେବା ପରେ ଶିକ୍ଷକଙ୍କୁ ବିଭିନ୍ନ ଆଡୁ ସମାଲୋଚିତ କରାଯାଇଛି। ଛାତ୍ରମାନେ ପାଠ କରିନଥିବା କାଣରୁ ଶିକ୍ଷକ ସେମାନଙ୍କୁ ତଳେ ଆଣ୍ଠେଇ ଦେଇ ଏପରି କହିବା ନିର୍ଦ୍ଦେଶ ଦେଇ ଦଣ୍ଡ ଦେଉଥିବା ଦେଖିବାକୁ ମିଳିଛି। ଏଏନ୍ଆଇ କରିଥିବା ଟ୍ଵିଟ୍ ମୁତାବକ, ଘଟଣାଟି ହେଉଛି ସୂରଜପୁର ଅଞ୍ଚଳର।
ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏ ସଂପର୍କରେ ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରକାଶ ଇକ୍କା କହିଛନ୍ତି, ‘ଛାତ୍ରଛାତ୍ରୀମାନେ ଶାରୀରିକ କିମ୍ବା ମାନସିକ କ୍ଷେତ୍ରରେ ନିର୍ଯାତିତ ହୋଇପାରିବେ ନାହିଁ। ଏ ସଂପର୍କରେ ତଦନ୍ତ କରାଯିବ।’
ଏ ପ୍ରସଂଗରେ ସଫେଇ ଦେଇ ସ୍କୁଲ୍ର ମ୍ୟାନେଜର କାମଲୁଦ୍ଦିନ କହିଛନ୍ତି, ‘ଭିଡିଓ କରି ଭାଇରାଲ୍ କରାଇବା ଶିକ୍ଷକଙ୍କ ଉଦେଶ୍ୟ ନଥିଲା। ଏହା କେବଳ ପିଲାଙ୍କୁ ଶିକ୍ଷା ଦେବା ଉଦେଶ୍ୟରେ କରାଯାଇଥିଲା।’ ଏହି ଭିଡିଓକୁ ପିଲାମାନଙ୍କ ଅଭିଭାବକଙ୍କ ନିକଟକୁ ପଠାଯିବ ବୋଲି କୁହାଯାଇ ତାଙ୍କୁ ଭୟଭୀତ କରାଯାଇଥିଲା।