ସହପାଠୀମାନଙ୍କ  ଥଟ୍ଟା ସହି ନ ପାରି ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

ତିରୁଚିରାପ୍ପଲୀ: ସାଙ୍ଗସାଥୀମାନଙ୍କର ଇଙ୍ଗିତକୁ ସହି ନ ପାରି ଆତ୍ମହତ୍ୟାକୁ ସହଜ ବାଟ ଭାବି ଆପଣେଇ ନେଇଛନ୍ତି ଦଶମ ଶ୍ରେଣୀ ଛାତ୍ର । ୪ ଜଣ ସହପାଠୀଙ୍କ ଥଟ୍ଟା ତାମସା ଅସହ୍ୟହେବାରୁ ସେ ଏପରି ପଦକ୍ଷପ ନେଇଥିବା ଜଣା ପଡ଼ିଛି । ସାଙ୍ଗମାନେ ତୋର ଚାଲିଚଳନ ଝିଅମାନଙ୍କ ଭଳି କହି ବାରମ୍ବାର ଚିଡ଼ାଉଥିବାରୁ ଏହାକୁ ସହି ନ ପାରି ନିଜ ଘରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ୧୫ବର୍ଷୀୟ ଛାତ୍ର । ଏହା ସହ ତାଙ୍କ ମୃତ୍ୟୁ ପାଇଁ ୪ଜଣ ସହପାଠୀ ଦାୟୀ ବୋଲି ଲେଖାଥିବା ଏକ ସୁଇସାଇଡ଼୍‍ ନୋଟ୍‌ ଜବତ କରିଛି ପୁଲିସ । ଏହି ନୋଟ୍‌ ମିଳିବା ପରେ ୪ ଜଣ ସହପାଠୀଙ୍କ ଉପରେ ମାମଲା ରୁଜୁ କରାଯାଇଥିବା ଜଣା ପଡ଼ିଛି ।

ମୃତ ଛାତ୍ର ଲେଖିଥିବା ଚିଠି ଅନୁଯାୟୀ, ମୁଁ ପ୍ରତିଦିନ ସ୍କୁଲକୁ ଗଲାବେଳେ ମୋର ୪ଜଣ ସହପାଠୀ ମୋତେ ଚିଡ଼ାନ୍ତି । ସମସ୍ତଙ୍କ ଆଗରେ ମୁଁ ଝିଅ ପିଲାଙ୍କ ଭଳି ଚାଲେ ଏବଂ ମୋର ହାବଭାବ ଝିଅମାନଙ୍କ ଭଳି କହି ଚିଡ଼ାଇ ଥାନ୍ତି । ସେମାନେ ଏପରି ନ କରିବା ପାଇଁ ମୁଁ ବାରମ୍ବାର ସେମାନଙ୍କୁ ନେହୁରା ହୋଇଥିଲେ ମଧ୍ୟ ସେମାନେ ନ ଶୁଣି ମୋତେ ଚିଡ଼ାଉଥିଲେ । ସମସ୍ତଙ୍କ ସାମ୍ନାରେ ମୋର ଏପରି ଅସମ୍ମାନକୁ ମୁଁ ସହି ନ ପାରି ଏ ପଦକ୍ଷପ ନେଉଛି ବୋଲି ସେ ଲେଖିଥିଲେ । ଏ ନେଇ ମୃତ ଛାତ୍ରଙ୍କ ମା’ ପୁଲିସରେ ଏତଲା ଦେବା ସହ ଏଥି ପାଇଁ ଦାୟୀ ଥିବା ୪ଜଣଙ୍କ ଛାତ୍ରଙ୍କୁ କଠୋର ଦଣ୍ଡ ମିଳୁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର