ନବମ ଶ୍ରେଣୀ ଛାତ୍ରୀକୁ ସ୍କୁଲ୍‌ ଶୌଚାଳୟରେ ଇଂରାଜୀ ଶିକ୍ଷକ ଦୁଷ୍କର୍ମ କଲେ

ଲଳିତପୁର: ଏକ ବିଦ୍ୟାଳୟର ନବମ ଶ୍ରେଣୀରେ ପଢ଼ୁଥିବା ଜନୈକା ନାବାଳିକାକୁ ସଂପୃକ୍ତ ସ୍କୁଲର ଇଂରାଜୀ ଶିକ୍ଷକ ସ୍କୁଲର ଶୌଚାଳୟ ମଧ୍ୟରେ ଦୁଷ୍କର୍ମ କରିବା ପରି ଏକ ଲଜ୍ଜାଜନକ ଘଟଣା ଏବେ ପଦାକୁ ଆସିଛି। ଦୁଷ୍କର୍ମକାରୀ ଶିକ୍ଷକଙ୍କ ଧମକରେ ଭୟଭୀତା ସଂପୃକ୍ତା ନାବାଳିକା ଜଣକ ଦୁଇ ଦିନ ଚୁପ୍‌ ରହିବା ପରେ ଶେଷରେ ଏକ ଚିଠିରେ ତା’ ସହ ଘଟି ଯାଇଥିବା ଅଘଟଣ ସଂପର୍କରେ ସବିଶେଷ ଉଲ୍ଲେଖ କରି ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ସହ; ତା’ ହାତ ଲେଖା ଚିଠିକୁ ମଧ୍ୟ ଜବତ କରାଯାଇଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଝାନ୍‌ସୀର ଲଳିତପୁର ଅଞ୍ଚଳରେ ରହୁଥିବା ୧୩ ବର୍ଷ ବୟସ୍କା ନାବାଳିକା ରତ୍ନା (ଛଦ୍ମନାମ) ମେହେରୋନି ସର୍ଦ୍ଦାର ପଟେଲ ଇଣ୍ଟର କଲେଜରେ ନବମ ଶ୍ରେଣୀରେ ପଢ଼େ। ଗତ ୨୨ ତାରିଖ ଦିନ ସେ ସ୍କୁଲ ଯାଇଥିବା ବେଳେ ତୃତୀୟ ପିରିୟଡ୍‌ ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ପରିସ୍ରା କରିବା ପାଇଁ ସ୍କୁଲ ଶୌଚାଳୟକୁ ଯାଇଥିଲା। ତେବେ, ରତ୍ନା ଶୌଚାଳୟକୁ ପ୍ରବେଶ କରିବା ମାତ୍ରେ ସ୍କୁଲର ଇଂରାଜୀ ଶିକ୍ଷକ ରାଜକୁମାର ଓରଫ୍‌ କୁଲୁ (୪୫) ଶୌଚାଳୟ ମଧ୍ୟକୁ ପ୍ରବେଶ କରି ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ। ଏବଂ ପରେ ରତ୍ନାକୁ ଦୁଷ୍କର୍ମ କରିଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ରତ୍ନା ସାହାଯ୍ୟ ପାଇଁ ଚିତ୍କାର କରୁଥିିବା ବେଳେ ଦୁଷ୍କର୍ମକାରୀ ରାଜକୁମାର ବଳପୂର୍ବକ ତା’ ପାଟିକୁ ମାଡ଼ିବସି ବନ୍ଦ କରିଦେବା ସହ ଘଟଣା ସଂପର୍କରେ କାହାକୁ କିଛି କହିଲେ ସ୍କୁଲରୁ ବିତାଡ଼ିତ କରିବା ସହ ତାକୁ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା।

Representional ( Voice of the Cape)

ଏଥିରେ ଭୟଭୀତ ହୋଇ ରତ୍ନା ଘରକୁ ପଳାଇଯିବା ସହ ଘରେ ଘଟଣା ସଂପର୍କରେ କାହାରିକି କିଛି ନଜଣାଇ ଚୁପ୍‌ଚାପ୍‌ ରହିଥିଲା। ହେଲେ, ଦୁଇଦିନ ଚୁପ୍‌ ରହିବା ପରେ ଏହି ଘଟଣାରେ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିବା ରତ୍ନା ଶେଷରେ ଗତ ରବିବାର ଦିନ ଏକ କାଗଜରେ ତା’ ସହ ଘଟିଥିବା ଅଘଟଣ ସଂପର୍କରେ ସବିଶେଷ ଲେଖିବା ପରେ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ପରେ, ତା’ର ମା’ ତାକୁ ଗୁରୁତର ଅବସ୍ଥାରେ ଦେଖିବା ପରେ କାଳବିଳମ୍ବ ନକରି ଚିକିତ୍ସା ପାଇଁ ତାକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସାପରେ ରତ୍ନା ଏବେ ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଅନ୍ୟ ପକ୍ଷରେ ପୁଲିସ୍‌ ରତ୍ନାର ଚିଠିକୁ ଜବତ କରି ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିବା ବେଳେ ଗିରଫଦାରୀ ଭୟରେ ଦୁଷ୍କର୍ମକାରୀ ଇଂରାଜୀ ଶିକ୍ଷକ ଏବେ ଫେରାର୍‌ ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର