ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ସେସୁର କିରାଣି, ଏକ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗ ଗିରଫ

ଭୁବନେଶ୍ୱର : ଏକ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ଆଜି ସେସୁର ଜଣେ କିରାଣିଙ୍କୁ ଗିରଫ କରିଛି। ତାଙ୍କ ନାଁ ମଳୟ କୁମାର ପଟ୍ଟନାୟକ। ସେ ଖଣ୍ଡଗିରି ସେସୁ ସବ-ଡିଭିଜନ୍‌ରେ କିରାଣି ଭାବେ କାମ କରନ୍ତି। ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରିବା ଆରମ୍ଭ କରିଛି ଭିଜିଲାନ୍ସ। ଏଥିପାଇଁ ତାଙ୍କ ଭୁବନେଶ୍ବରରେ ଥିବା ସରକାରୀ ବାସଭବନ, ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି।

ଭିଜିଲାନ୍ସଠାରୁ ମିଳିଥିବା ସୂଚନା ମୁତାବକ, ପିଏଚ୍‌ଡି ରେଣ୍ଟାଲ ପମ୍ପ ହାଉସରେ ରହୁଥିବା ମୁରାରୀ ପ୍ରକାଶ ସାହୁଙ୍କ ଘରେ ମିଟର ନ ଥିଲା। ପ୍ରତ୍ୟେକ ମାସରେ ସେ ୩ଶହ ଟଙ୍କା ବିଲ୍ ଦେଉଥିଲେ। କିନ୍ତୁ ଗତ କିଛି ଦିନ ତଳେ ତାଙ୍କ ଘରେ ସେସୁ ପକ୍ଷରୁ ମିଟର ଲଗାଯାଇଥିଲା। ଏହା ପରେ ତାଙ୍କର ବିଲ୍ ୧୮୮୮ ଟଙ୍କା ଆସିଥିଲା। ଏହାକୁ ଏକ ହଜାର ଟଙ୍କା କରାଇ ଦେବାକୁ କିରାଣି ମଳୟ ଏକ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏ ନେଇ ମୁରାରୀ ପ୍ରକାଶ ଭିଜିଲାନ୍ସ ନିକଟରେ ଅଭିଯୋଗ କରିବା ପରେ ଆଜି ଭିଜିଲାନ୍ସର ଏକ ଟିମ୍ ସେସୁ କାର୍ଯ୍ୟାଳୟ ନିକଟରେ ଲୁଚି ରହିଥିଲେ। ମଳୟ ଲାଞ୍ଚ ଟଙ୍କା ଗ୍ରହଣ କରିବା କ୍ଷଣି ତାଙ୍କୁ ଭିଜିଲାନ୍ସର ଅଧିକାରୀମାନେ ମାଡ଼ି ବସିଥିଲେ।

ସମ୍ବନ୍ଧିତ ଖବର