କଲେଜ ଛାତ୍ରଙ୍କୁ ଗୁଳି ଘଟଣାରେ ୩ ଗିରଫ

ଭୁବନେଶ୍ୱର: ସହିଦନଗର ଥାନା ଅଧୀନ ବାସୁଆଘାଇ ଟଙ୍କପାଣିରୋଡ୍‌ରେ ବାଳକାଟି କଲେଜ ଛାତ୍ର ସୁଶାନ୍ତ ଭୋଇଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଲିଙ୍ଗରାଜ ଥାନା ଅଧୀନ ହରଚଣ୍ଡୀ ସାହିର ଚନ୍ଦନ କୁମାର ମହାପାତ୍ର, ଏୟାରଫିଲଡ୍‌ ଥାନା ଅଧୀନ କପିଳପ୍ରସାଦର ସୁଜିତ କୁମାର ସେଠୀ, ସୁନ୍ଦରପଦାର ସୋଲାଙ୍କି ଶେଖର ସିଂହ। ପୁଲିସ ଏମାନଙ୍କ ନିକଟରୁ ୨ଟି ଖଣ୍ଡା, କଟୁରି ଓ ମୋବାଇଲ୍‌ ଫୋନ ଜବତ କରିଛି। ତେବେ ପୁଲିସ ଗୁଳିକାଣ୍ଡରେ ବ୍ୟବହାର ହୋଇଥିବା ବନ୍ଧୁକ ଜବତ କରିପାରି ନଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇ ପାରିନି। ସହିଦନଗର ଥାନା ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଆକ୍ରମଣର ଶିକାର ହୋଇଥିବା ସୁଶାନ୍ତଙ୍କ ସହିତ ଚନ୍ଦନଙ୍କର ପୂର୍ବ ଶତ୍ରୁତା ଥିଲା। ଘଟଣା ଦିନ ଚନ୍ଦନଙ୍କ କେତେକ ସାଙ୍ଗକୁ ସୁଶାନ୍ତଙ୍କ ସହଯୋଗୀମାନେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ରାଗରେ ଚନ୍ଦନ ଓ ତାଙ୍କ ସହଯୋଗୀମାନେ ସେମାନଙ୍କୁ ଖୋଜାଖୋଜି କରି ଟଙ୍କପାଣିରୋଡ୍‌ ନିକଟରେ ପହଞ୍ଚିଥିଲେ। ଯୋଜନା ମୁତାବକ, ସେମାନେ ସୁଶାନ୍ତଙ୍କୁ ଘରୁ ଡକାଇ ଗୁଳିମାଡ଼ କରିବା ସହିତ ଗୁପ୍ତିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସୁଶାନ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଟ୍ରିନିଟି ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏବେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର