‘ଆପଣଙ୍କୁ କୌନ୍‌ ବନେଗା କରୋଡ଼ପତି ତରଫରୁ ମିଳୁଛି ୩୫ ଲକ୍ଷ ଟଙ୍କାର ପୁରସ୍କାର’ ଲେଖା ଥିବା ମେସେଜ୍‌ ଆସିିନାହିଁ ତ? ଜାଣନ୍ତୁ ଏହି ମେସେଜ୍‌ ପଛର ପ୍ରକୃତ ରହସ୍ୟ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ସବୁବେଳେ ନକଲି ବିଜ୍ଞାପନ ଆସିବା ବିଷୟରେ ତ ଆପଣମାନେ ସମସ୍ତେ ଜାଣିଥିବେ । ଏବେ ପୁଣି ସେଭଳି ଏକ ମେସେଜ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୩୫ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ଦେଉଥିବା ଏକ ମେସେଜ୍‌ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଆପଣ ‘କୌନ୍‌ ବନେଗା କରୋଡ଼୍‍ପତି’ ତରଫରୁ ୩୫ଲକ୍ଷ ଟଙ୍କାର ଲଟେରି ଜିତିଛନ୍ତି ବୋଲି ଲେଖାଥିବା ଏକ ମେସେଜ୍‌ ଏବେ ସବୁ ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ପାଖଙ୍କୁ ଯାଉଥିବା ବେଳେ ଏହି ମେସେଜ୍‌ ପଛର ରହସ୍ୟ କ’ଣ ତାହା ଲୋକମାନଙ୍କୁ ଚିନ୍ତାରେ ପକାଇଛି ।

ଏହି ମେସେଜ୍‌ ପଛର ରହସ୍ୟ ଖୋଜାଯିବା ପରେ ଏହି ମେସେଜ ମାଧ୍ୟମରେ ଠକାମିର ଶିକାର ହୋଇ ଲୋକମାନେ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । କିଛି ଦିନ ତଳେ ଦିଲ୍ଲୀରେ ରହୁଥିବା ଜାେଓ୍ଵଦ୍‌ଙ୍କ ପାଖକୁ ଏଭଳି ମେସେଜ୍‌ ଏବଂ ତା’ ପରେ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ରେ ଜଣେ ତାଙ୍କୁ ଆପଣ ୩୫ଲକ୍ଷ ଟଙ୍କାର ଲଟେରି ଜିତିଛନ୍ତି ବୋଲି କହିବା ସହ ଏହାକୁ ପାଇବା ପାଇଁ ପ୍ରଥମେ ଏହି ଆକାଉଣ୍ଟ ନମ୍ବରରେ ୨୫ହଜାର ଟଙ୍କା ଜମା କରନ୍ତୁ ବୋଲି କହିଥିଲେ । ଜାେଓ୍ଵଦ୍‌ କିଛି ନ ଜାଣି ପାରି ଅଭିଯୁକ୍ତ ଜଣଙ୍କ ଦେଇଥିବା ଆକାଉଣ୍ଟ ନମ୍ବରରେ ୨୫,୦୦୦ଟଙ୍କା ଜମା କରାଇଥିଲେ । ଟଙ୍କା ଜମା କରାଇବାର ୧୫ ଦିନ ପରେ ମଧ୍ୟ ୩୫ଲକ୍ଷ ଟଙ୍କା ନ ଆସିବାରୁ ସେ ଅଭିଯୁକ୍ତ ଫୋନ କରିଥିବା ନମ୍ବରକୁ କଲ୍‌ କରିବା ପରେ ଫୋନ୍‌ଟି ବନ୍ଦ ବୋଲି କହିଥିଲା । ଅନ୍ୟ କିଛି ରାସ୍ତା ନ ପାଇ ଜାେଓ୍ଵଦ୍‌ ପୁଲିସରେ ଅଭିଯୋଗ କରିଥିଲେ । ପରେ ତାଙ୍କ ସହ ତାଙ୍କ ଅଫିସର ଅନ୍ୟ କିଛି କର୍ମଚାରୀ ମଧ୍ୟ ଏହି ଠକାମିର ଶିକାର ହୋଇଥିବା ସେ ଜାଣିବାକୁ ପାଇଥିଲେ ।

navbharattimes.indiatimes.com

ପୁଲିସ ତଦନ୍ତ କରିବା ପରେ ଆକାଉଣ୍ଟଟି ପଶ୍ଚିମବଙ୍ଗର ଜଣେ ଯୁବକଙ୍କ ନାମରେ ଥିବା ଜଣା ପଡ଼ିଥିଲା । ତେବେ ଅଭିଯୁକ୍ତଙ୍କ ବିଷୟରେ ଅଧିକ କିଛି ସୂଚନା ମିଳି ନଥିବା ବେଳେ କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ଆଧାର କାର୍ଡ଼ ନମ୍ବର ଏବଂ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର ନ ଦେବା ଏବଂ ଏଭଳି ଫୋନ୍‌ କଲ୍‌ର ଉତ୍ତର ନ ଦେବା ପାଇଁ ପୁଲିସ ତରଫରୁ ସତର୍କ କରାଯାଇଛି ।

ସମ୍ବନ୍ଧିତ ଖବର