ଅପରାଧୀ ମହଲରେ କୋକୁଆ ଭୟ

ରାଜଧାନୀରେ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର

ଭୁବନେଶ୍ୱର: ନୂଆ ବର୍ଷରେ କମିସନରେଟ୍‌ ପୁଲିସର ନୂଆ ରଣନୀତି। ଏଣିକି ଆଉ ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ା ଯିବ ନାହିଁ। ଅପରାଧୀଙ୍କ ବନ୍ଧୁକର ଜବାବ ଗୁଳିରେ ଦିଆଯିବ। ଗୋଡ଼ାଇ ଗୋଡ଼ାଇ କରାଯିବ ଏନକାଉଣ୍ଟର। ବର୍ଷ ଆରମ୍ଭରୁ ମାତ୍ର ୧୨ ଦିନ ମଧ୍ୟରେ କମିସନରେଟ୍‌ ପୁଲିସ ଭୁବନେଶ୍ୱରରେ ୩ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗୁଳି କରି ଅପରାଧ ମହଲରେ ଭୟର ବାତାବରଣ ଖେଳାଇ ଦେଇଛି। ଲଗାତାର ଏନ୍‌କାଉଣ୍ଟର ଫଳରେ ଏବେ ଅନେକ ଦୁର୍ଦାନ୍ତ ଅପରାଧୀ ରାଜଧାନୀ ଛାଡି ଅନ୍ୟତ୍ର ପଳାଇ ଗଲେଣି।

କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ଯାହା ସୂଚନା ମିଳିଛି, ରାଜଧାନୀକୁ ଅନେକ ବାହାର ଜିଲ୍ଲାର ଅପରାଧୀ ପଶି ଆସିଛନ୍ତି। ବିଶେଷକରି ଗଞ୍ଜାମ, ଗଜତସିଂହପୁର, କଟକ ଓ ପୁରୀ ପୁଲିସ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ସେମାନେ ସମସ୍ତେ ଏବେ ରାଜଧାନୀ ମୁହାଁ। ରାଜଧାନୀରେ ଛିନତାଇଠାରୁ ଆରମ୍ଭ କରି ଲୁଟପାଟ, ଦାଦାବଟି, ଜାଗାବାଡି ଗଣ୍ଡଗୋଳ ଭଳି ଅପରାଧରେ ସଂପୃକ୍ତ ରହୁଛନ୍ତି। ଯାହାକି ବର୍ଷ ଆରମ୍ଭରୁ କମିସନରେଟ୍‌ ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି। ତେଣୁ କମିସନରେଟ ପୁଲିସ ପକ୍ଷରୁ ଯୋଜନା ହୋଇଛି ଏଣକି ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରାଧୀଙ୍କ ସାବାଡ଼ କରିବାକୁ ଏକାବେଳକେ ୨ଟି ୩ଟି ଥାନାରେ ମାମଲା ରୁଜୁ କରାଯିବା ସହିତ ପୁଲିସ ଭ୍ୟାନ ମିଳିତ ଭାବେ ଅପରାଧୀଙ୍କୁ ଗିରଫ କରିବାକୁ ଘେରିବ। ସ୍ପେସାଲ ସ୍କ୍ଵାଡ୍‌ ପୁଲିସ ଏଥିରେ ନେତୃତ୍ୱ ନେବ। କମିସନରେଟ ପୁଲିସର ଏଭଳି ଯୋଜନା ଏବେ ଅପରାଧୀଙ୍କୁ ଛାନିଆ କରି ଦେଇଛି।

ଏଠାରେ ପ୍ରକାଶଥାଉକି, ବାଲିଅନ୍ତା ଥାନା ଅଧୀନ ଭଇଁଚୁଆ ନଦୀପଠାରେ ଜଗତସିଂହପୁର ତିର୍ତୋଲ ଅଞ୍ଚଳର ସୁକାନ୍ତ ସାହୁ ଓରଫ୍‌ ଲିପୁ ଏବଂ କଟକ ଜଗତପୁର ପଶ୍ଚିମକଛ ଅଞ୍ଚଳର ହରିହର ସାମଲ୍‌ଙ୍କୁ ସ୍ପେସାଲ୍‌ ସ୍କ୍ଵାଡ୍‌ ପୁଲିସ ଏନକାଉଣ୍ଟର କରିଥିଲା। ଏହାର ଗୋଟିଏ ଦିନ ପରେ ସ୍ପେସାଲ୍‌ ସ୍କ୍ଵାଡ୍‌ ଲକ୍ଷ୍ମୀସାଗର ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ଜନ୍ମଜେୟ ରାଉତକୁ ମଧ୍ୟ ଏନକାଉଣ୍ଟର କରିଥିଲା। ଏଭଳି ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର ହେବା ଓ ଗୋଟିଏ ଦିନରେ ଦୁଇ ଦୁଇ ଜଣ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିବା କେବେ ବି ପୂର୍ବରୁ ଦେଖା ଯାଇ ନ ଥିଲା। ଏହା ଛଡ଼ା ଗତବର୍ଷ(୨୦୧୭)ରେ କମିସନରେଟ୍‌ ପୁଲିସ ମାତ୍ର ଦୁଇ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବାବେଳେ ବର୍ଷ ଆରମ୍ଭରୁ ମାତ୍ର ୧୨ ଦିନ ମଧ୍ୟରେ ୩ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଅନ୍‌ସ୍ପଟ୍‌ ଏନକାଉଣ୍ଟର କରିଛି। ଯାହା ଏବେ ପୁଲିସ ଓ ଅପରାଧୀ ମହଲରେ ଚର୍ଚାର ବିଷୟ।

ସମ୍ବନ୍ଧିତ ଖବର