ଚୋରି ଅଳଙ୍କାର ଉଦ୍ଧାର କରିବାକୁ ଚୋରର ଅସ୍ତ୍ରୋପଚାର କରାଇଲେ ପୁଲିସ

ଜବଲପୁର: ଚୋର ପେଟରୁ ଏକ ପାରମ୍ପରିକ ସୁନା ଅଳଙ୍କାର ଉଦ୍ଧାର କରିବକାୁ ମଧ୍ୟପ୍ରଦେଶ ପୁଲିସ ତା’ର ଅପରେସନ୍‌ କରାଇଛି।

ବୁଧବାର ଅପରାହ୍ଣ ପ୍ରାୟ ୪ଟା ୪୫ ମିନିଟ୍‌ରେ ଡିଫେନ୍‌ସ୍‌ କଲୋନିସ୍ଥିତ ନିଜ ଘର ଅଗଣାରେ ବିଛଣାରେ ଗଡୁଥିବା ୭୦ ବର୍ଷୀୟ କଳାବତୀ ଯାଦବଙ୍କ ମଙ୍ଗଳ ସୂତ୍ରକୁ ଦୁଇ ଜଣ ମୋଟର୍‌ସାଇକେଲ୍‌ ଆରୋହୀ ଝାମ୍ପି ନେଇଥିଲେ।

ସୂଚନା ପାଇବା ପରେ ପୁଲିସ ଦୁଇ ଅଭିଯୁକ୍ତ ୨୦ ବର୍ଷିୟ ସୁରଜ ଦୁମାର ଏବଂ ୨୫ ବର୍ଷିୟ ରାଜୁ ଥାପାଙ୍କୁ ଧରିଥିଲେ।

କିନ୍ତୁ, ଗିରଫ କରାଯିବାର କିଛି ମୁହୂର୍ତ୍ତ ପୂର୍ବରୁ ପ୍ରମାଣ ନଷ୍ଟ କରିବାକୁ ଦୁମାର ଅଳଙ୍କାରଟିକୁ ଗିଳି ପକାଇଥିଲେ। ଏକ୍ସରେ କରାଇବାରୁ ଜଣାପଡ଼ିଲା ଅଳଙ୍କାରଟି ପେଟରେ ଅଛି।

ପୂର୍ବରୁ ଅଳଙ୍କାର ଗିଳୁଥିବା ଚୋରକୁ କଦଳୀ ଖୁଆଇ ଦୁଇ ଦିନ ଅପେକ୍ଷା କରିବା ପରେ ପେଟରୁ ହୃତ ଅଳଙ୍କାର ନିଷ୍କାସନ କରାଯାଉଥିଲା।
କିନ୍ତୁ ଅପରେସନ୍‌ କରାଇ ଜବଲପୁର ପୁଲିସ ଗୁରୁବାର ଦିନ ୫ ମିନିଟ୍‌ ମଧ୍ୟରେ ଅଳଙ୍କାରଟିକୁ ଉଦ୍ଧାର କରିଛି।

ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଦୀପକ ଶୁକ୍ଳ ସାମ୍ବାଦିକ ସମ୍ମିଳନୀରେ ଉଦ୍ଧାର କରାଯାଇଥିବା ଅଳଙ୍କାରଟିକୁ ଦେଖାଇ କହିଲେ: ଜବଲପୁରସ୍ଥିତ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ୍‌ କଲେଜର ଡାକ୍ତରମାନଙ୍କ ସହ ପରାମର୍ଶ କଲୁ। ଅପରେସନ୍‌ ବିପଦ ରହିତ ହେବ ବୋଲି ସେମାନେ ନିର୍ଭର ପ୍ରତିଶ୍ରୁତି ଦେଲେ। ଏଣ୍ଡୋସ୍କୋପି ସର୍ଜରି ମାତ୍ର ପାଞ୍ଚ ମିନିଟ୍‌ ଲାଗିଲା ଓ ପୁଲିସକୁ ପ୍ରମାଣ ମିଳିଗଲା।

ଦୁମାର ଓ ସୁରଜ ସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି।

ଅଭିଯୁକ୍ତଙ୍କୁ ଧରି ଅଳଙ୍କାର ଉଦ୍ଧାର କରିଥିବା ସେ ପୁଲିସ ଟିମ୍‌କୁ ୧୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଶଶିକାନ୍ତ ଶୁକ୍ଳ।

ସମ୍ବନ୍ଧିତ ଖବର