ପୁଲିସବାଲା ଝିଅ ସହ ମାସ ମାସ ଦୁଷ୍କର୍ମ କରି ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କ ନାବାଳକ ପୁଅ ଗିରଫ

ନୂଆଦିଲ୍ଲୀ: ଦ୍ୱାରକାରେ ମାସ ମାସ ଧରି ଜଣେ ୧୬ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦିଲ୍ଲୀର ଜଣେ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କ ୧୭ ବର୍ଷିୟ ପୁଅକୁ ଗିରଫ କରାଯାଇଛି।

ଅଭିଯୁକ୍ତ ନିର୍ଲଜଭାବେ ପୀଡ଼ିତାର ଘରେ ପହଞ୍ଚି ସହବାସ ପାଇଁ କହିବାରୁ ମଙ୍ଗଳବାର ସକାଳେ ଘଟଣାଟି ପଦାରେ ପଡ଼ିଥିଲା। ଝିଅର ବାପା ତାକୁ ଧରି ଦ୍ୱାରକା ଉତ୍ତର ଥାନାକୁ ସୂଚନା ଦେଇ ତା’ର ଅପକର୍ମ କଥା କହିଥିଲେ।

ପୀଡ଼ିତାର ବାପା ଏବଂ ଅଭିଯୁକ୍ତର ବାପା ଭିନ୍ନ ଭିନ୍ନ ଥାନାରେ କାମ କରନ୍ତି ଏବଂ ଦ୍ୱାରକା ଜିଲ୍ଲାର ଦୁଇଟି ପୃଥକ୍‌ ଅଞ୍ଚଳରେ ବାସ କରନ୍ତି। ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ, ୬ ମାସ ହେବ ପୀଡ଼ିତା ସହ ଅଭିଯୁକ୍ତର ସଂସ୍ପର୍ଶରେ ଆସିଥିଲେ। ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ତାକୁ ଅଭିଯୁକ୍ତ ସହ ପରିଚୟ କରାଇ ଦେଇଥିଲା।

ଅଭିଯୁକ୍ତ ପୀଡ଼ିତା ବନ୍ଧୁତା ଜମାଇ ତା’ର ବିଶ୍ୱାସଭାଜନ ହୋଇଥିଲା। ରୋମାଣ୍ଟିକ୍‌ ଡେଟ୍‌ ବାହାନାରେ ଅଭିଯୁକ୍ତ ପୀଡ଼ିତାକୁ ଏକ ଅଜ୍ଞାତ ସ୍ଥାନକୁ ନେଇ ତାକୁ ନିଶା ଔଷଧ ମିଶା ମୃଦୁ ପାନୀୟ ଦେଇଥିଲା। ଅଭିଯୁକ୍ତ ପୀଡ଼ିତାର ଆପତ୍ତିଜନକ ଭିଡ଼ିଓ କ୍ଲିପ୍‌ ମଧ୍ୟ ଉତ୍ତୋଳନ କରିଥିଲା।

ଅଭିଯୁକ୍ତ ପୀଡ଼ିତାକୁ ବ୍ଲାକ୍‌ମେଲ୍‌ କରି ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ଯଦି ସେ ଅରାଜି ହୁଏ କ୍ଲିପ୍‌ ସବୁ େଓ୍ଵବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରି ଦେବ ବୋଲି ଧମକ ଦେଇଥିଲା। ସେ ତାକୁ ଫୋନ୍‌ କରି ଗେଷ୍ଟ୍‍ ହାଉସ୍‌, ହୋଟେଲ୍‌ ଏବଂ ଅନ୍ୟାନ୍ୟ ନିକାଞ୍ଚନ ସ୍ଥାନରେ ପହଞ୍ଚିବାକୁ ବାଧ୍ୟ କରୁଥିଲା।

ଏମିତି ୫ ମାସ ଚାଲିଥିଲା। ଏ ସମୟରେ ଅଭିଯୁକ୍ତ ପୀଡ଼ିତାଙ୍କ ଇଚ୍ଛା ବିରୁଦ୍ଧରେ ବହୁବାର ତା’ ସହ ଦୁଷ୍କର୍ମ କରିଛି।

ଅବସାଦରେ ଆକ୍ରାନ୍ତ ହୋଇ ପୀଡ଼ିତା ଆଉ ଅଭିଯୁକ୍ତଙ୍କ ଫୋନ୍‌ ରିସିଭ୍‌ କଲା ନାହିଁ। ସୋମବାର ଦିନ ତା’ ସହିତ ଯିବାକୁ ଅରାଜି ହେବାରୁ ଅଭିଯୁକ୍ତ ରାଗିଯାଇ ମଙ୍ଗଳବାର ଦିନ ତା’ ଘରେ ପହଞ୍ଚିଥିଲା। ବାଳିକାକୁ ଧମକ ଦେଉଥିବା ବେଳେ ତା’ର ବାପା ଶୁଣିପକାଇ ଅଭିଯୁକ୍ତଙ୍କୁ ଚଟ୍‌କିନି ଧରି ପକାଇଥିଲେ।

ଅଭିଯୁକ୍ତକୁ ଗିରଫ କରାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଥିଲା। ବୋର୍ଡ ତାକୁ ଶିଶୁ ଶୁଧାର ସଦନକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର