ବୃଦ୍ଧାବସ୍ଥାରେ ପୁଅଝିଅ ପାଖ ଛାଡ଼ିଦେଲେ : ଶେଷରେ ଆତ୍ମହତ୍ୟାର ପଥ ବାଛିନେଲେ ଅସହାୟ ଦମ୍ପତି

ଶେଷକୃତ୍ୟ ପାଇଁ ଛାଡ଼ିଗଲେ ୪ ଲକ୍ଷର ଚେକ୍‌

ଚେନ୍ନାଇ: ତାମିଲନାଡ଼ୁରେ ଗତ ବୁଧବାର ବିଳମ୍ବିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦପୂର୍ଣ୍ଣ ଅଭାବନୀୟ ଘଟଣା। ନିଜ ଜନ୍ମିତ ସନ୍ତାନମାନଙ୍କ ଦ୍ୱାରା ଅବହେଳିତ ହେବାପରେ ଶେଷରେ ଅନନ୍ୟେପାୟ ହୋଇ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଛନ୍ତି ଏକ ବୃଦ୍ଧ ଦମ୍ପତି। ଚେନ୍ନାଇ ସହର ନିକଟବର୍ତ୍ତୀ ପୋରୁର୍‌ ଅଞ୍ଚଳରେ ରହୁଥିବା ୬୨ ବର୍ଷ ବୟସ୍କ ମନୋହରନ୍‌ ଓ ତାଙ୍କର ୫୬ ବର୍ଷ ବୟସ୍କା ପତ୍ନୀ ଜିଭା ଗତ ରାତିରେ ଆତ୍ମହତ୍ୟା କରିଛନ୍ତି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉଭୟ ମନୋହରନ୍‌ ଓ ତାଙ୍କ ପତ୍ନୀ ଜିଭା ସରକାରୀ ଚାକିରି କରୁଥିଲେ। କିଛି ବର୍ଷ ପୂର୍ବେ ଉଭୟେ ନିଜ ନିଜ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ହେଲେ, ଚାକିରିରୁ ଅବସର ନେବା ପରେ ସେମାନଙ୍କର ୩୨ ବର୍ଷ ବୟସ୍କ ଏକମାତ୍ର ପୁତ୍ର ଓ ୨୯ ବର୍ଷ ବୟସ୍କା ଏକମାତ୍ର କନ୍ୟା ସେମାନଙ୍କର ଦାୟିତ୍ୱ ନେବାକୁ ମନା କରିଦେବା ସହ ସେମାନଙ୍କୁ ଅବହେଳିତ ଅବସ୍ଥାରେ ଛାଡ଼ି ଦେଇଥିଲେ। ନିଜ ଜନ୍ମିତ ସନ୍ତାନମାନଙ୍କର ଏ ପ୍ରକାରର ଆଚରଣରେ ମର୍ମାହତ ଦମ୍ପତି ଗତ ରାତିରେ ଅନନ୍ୟୋପାୟ ହୋଇ ଶେଷରେ ଆତ୍ମହତ୍ୟାର ପଥ ବାଛି ନେଇଥିଲେ।

Times of India

ମନୋହରନ୍‌ ପ୍ରଥମେ ତାଙ୍କ ପତ୍ନୀ ଜିଭାଙ୍କୁ ବିଷ ପିଆଇବା ପରେ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ତାଙ୍କ ଘରୁ ଧୂଆଁ ବାହାରୁଥିବା ଦେଖିବା ପରେ ପାଖ ପଡ଼ୋଶୀମାନେ ପୁଲିସ୍‌କୁ ଖବର ଦେଇଥିଲେ। ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ।

ଏଥିସହ ପୁଲିସ୍‌ ତାଙ୍କ ଘରଭିତରୁ ଏକ ‘ସୁଇସାଇଡ୍‌ ନୋଟ୍‌’କୁ ମଧ୍ୟ ଜବତ କରିଛି। ଏଥିରେ ସେମାନେ ଲେଖିଛନ୍ତି ଯେ ସେମାନଙ୍କ ପିଲାମାନେ ବୃଦ୍ଧାବସ୍ଥାରେ ସେମାନଙ୍କ ଦାୟିତ୍ୱ ନେବାକୁ ମନା କରିଦେବା ସହ ସେମାନଙ୍କୁ ଅସହାୟ ଅବସ୍ଥାରେ ଛାଡ଼ି ଦେଇଥିବାରୁ ସେମାନେ ଆଉ ଅନ୍ୟ ବିକଳ୍ପ ନ ପାଇ ଆତ୍ମହତ୍ୟା କରୁଛନ୍ତି। ଏଥିସହ ପୁଲିସ୍‌ ୨ ଲକ୍ଷ ଟଙ୍କା ଲେଖାଁଏର ଦୁଇଟି ଚେକ୍‌ ମଧ୍ୟ ପାଇଛି। ଏହି ଅର୍ଥ ରାଶିକୁ ସେମାନଙ୍କ ଶେଷକୃତ୍ୟ କାର୍ଯ୍ୟରେ ବିନିଯୋଗ କରିବା ସହ ସେମାନଙ୍କ ମୃତ ଶରୀରକୁ ନ ପୋତି, ଦାହ ସଂସ୍କାର କରିବା ପାଇଁ ଆତ୍ମହତ୍ୟା କରିଥିବା ଦମ୍ପତି ସେମାନଙ୍କ ‘ସୁଇସାଇଡ୍‌ ନୋଟ୍‌’ରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର