ଛାଡ଼ପତ୍ର ନେବା ପାଇଁ ଏସ୍ଡିଜେଏମ୍ କୋର୍ଟରେ ପହଞ୍ଚିଲେ ଦମ୍ପତି, ସବୁ ଶୁଣିବା ପରେ ୩ଦିନ ବିନା ଫୋନରେ ସାଥୀରେ ରହିବାକୁ କହିଥିଲେ ଏସ୍ଡିଜେଏମ୍, ୩ଦିନ ପରେ…
ଭୋପାଳ: ସାମାନ୍ୟ ମୋବାଇଲ ଫୋନ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡ଼ା ଶେଷରେ ଛାଡ଼ପତ୍ରରେ ଯାଇ ପହଞ୍ଚିଥିଲା । ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ସହ କଥା ନ ହୋଇ ଫୋନ ମାଧ୍ୟମରେ ଅନ୍ୟମାନଙ୍କ ସହ କଥା ହେଉଥିବାରୁ ସେମାନଙ୍କ ମଧ୍ୟରେ ଏହି ଝଗଡ଼ା ଆରମ୍ଭ ହୋଇଥିଲା।
ଦିନେ ସ୍ତ୍ରୀ ଅନ୍ୟ କାହା ସହ ଘଣ୍ଟା ଘଣ୍ଟା ଧରି କଥା ହେଉଥିବା ଦେଖି ସ୍ୱାମୀ ସ୍ତ୍ରୀକୁ ମାଡ଼ ମାରିବା ସହ ଫୋନ ଭାଙ୍ଗି ଦେଇଥିଲେ । ଏହି ଘଟଣା ପରେ ସ୍ତ୍ରୀ ଏହାର ଅଭିଯୋଗ ସ୍ଥାନୀୟ ପୁଲିସ ଷ୍ଟେସନରେ କରିଥିଲେ । ଏହି ଅଭିଯୋଗ ପରେ ଧାରା ୧୫୧ ଅନୁଯାୟୀ ଅଭିଯୁକ୍ତ ସ୍ୱାମୀଙ୍କୁ ଏସ୍ଡ଼ିଜେଏମ୍ ରାଜକୁମାର କ୍ଷତ୍ରୀଙ୍କ କୋର୍ଟରେ ପୁଲିସ ହାଜର କରାଇଥିଲେ । ଘଟଣା ଜାଣିବା ପାଇଁ ଏସ୍ଡ଼ିଜେଏମ୍ ରାଜକୁମାର କ୍ଷତ୍ରୀ ଅଭିଯୁକ୍ତ ସ୍ୱାମୀକୁ ଘଟଣା ସଂପର୍କରେ ପଚାରିବା ପରେ ମୁଁ ମୋ ସ୍ତ୍ରୀ ସହ ରହିବାକୁ ଚାହେଁନି । ସେ ପ୍ରତିଦିନ ଦୁଇ ଦୁଇ ଘଣ୍ଟା ଫୋନରେ କଥା ହେବା ସହ ମୋର କୌଣସି କଥା ମାନୁ ନାହାନ୍ତି ବୋଲି କହିଥିଲେ । ସ୍ୱାମୀ କହିଥିବା କଥାର ସତ୍ୟତା ଜାଣିବା ପାଇଁ ଏସ୍ଡ଼ିଜେଏମ୍ ରାଜକୁମାର କ୍ଷତ୍ରୀ ପୀଡ଼ିତା ସ୍ତ୍ରୀକୁ ଏ ନେଇ ପଚାରିବା ପରେ ସେ ଠିକ୍ ଓଲଟା କଥା କହିଥିଲେ । ମୋ ସ୍ୱାମୀ ମୋ ସହ କଥା ନ ହୋଇ ଅନ୍ୟ କାହା ସହ କଥା ହେଉଥିଲେ । ମୁଁ ମନା କରିବା ପରେ ମଧ୍ୟ ସେ ମୋ କଥା ନ ମାନି ଫୋନରେ ଗପୁଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ବେଳେ ବେଳେ ମୋତେ ମାଡ଼ ମଧ୍ୟ ମାରୁଥିଲେ । ମୋତେ ତାଙ୍କ ସହ ରହିବାର ନାହିଁ ବୋଲି ପୀଡ଼ିତା ଏସ୍ଡ଼ିଜେଏମ୍ ରାଜକୁମାର କ୍ଷତ୍ରୀଙ୍କୁ ଜଣାଇଥିଲେ । ଉଭୟ ପକ୍ଷର କଥା ଶୁଣିବା ପରେ ଏସ୍ଡ଼ିଜେଏମ୍ ରାଜକୁମାର କ୍ଷତ୍ରୀ ଦୁଇ ଜଣଙ୍କୁ ୩ଦିନ ପାଇଁ ବିନା ଫୋନରେ ଏସ୍ଡ଼ିଜେଏମ୍ କୋର୍ଟ ବାହାରେ ଆସି ବସିବା ପାଇଁ କହିଥିଲେ । ଏସ୍ଡ଼ିଜେଏମ୍ ରାଜକୁମାର କ୍ଷତ୍ରୀଙ୍କ କଥା ମାନି ଉଭୟ ସ୍ୱାମୀ-ସ୍ତ୍ରୀ ୩ ଦିନ ପର୍ଯ୍ୟନ୍ତ ଏସ୍ଡ଼ିଜେଏମ୍ଙ୍କ କୋର୍ଟ ବାହାରେ ଆସି ବସିବାକୁ ଲାଗିଥିଲେ । ୩ଦିନ ମଧ୍ୟରେ ଦୁଇ ଜଣଙ୍କ ଖୁବ୍ ଝଗଡ଼ା ହେଲା । କିନ୍ତୁ ଦୁହେଁ ପରସ୍ପରକୁ ବୁଝାଉଥିଲେ । ୩ଦିନ ପରେ ପୂରା ମାମଲା ବଦଳି ଯାଇଥିଲା । ଦୁହେଁ ଛାଡ଼ପତ୍ର ନେବେ ନାହିଁ ବୋଲି ନିଷ୍ପତି ନେଇଥିଲେ । ଏହି ଘଟଣା ପରେ ଫୋନକୁ ଛାଡ଼ି ମଧ୍ୟ ଜୀବନରେ ଅନେକ କିଛି ରହିଛି ବୋଲି କହିଥିଲେ ଏସ୍ଡ଼ିଜେଏମ୍ ରାଜକୁମାର କ୍ଷତ୍ରୀ ।