ଗ୍ରାହକ ସାଜି ଗହଣା ଦୋକାନରୁ ଲୁଟିଲେ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁର ଛକ ନିକଟ ଏକ ଗହଣା ଦୋକନରୁ ୬୦ହଜାର ଟଙ୍କାର ସୁନା ଚେନ୍‌ ଲୁଟ୍‌ ହୋଇଛି। ୩ଜଣ ମହିଳା ଗ୍ରାହକ ସାଜି ଏପରି ଲୁଟ୍‌ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ ଚଳାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଅକ୍ଷୟ ତୃତୀୟାରେ ସୁନା ଗହଣା ଦୋକନରେ ଭିଡ଼ ଥିବା ବେଳେ ଏପରି ଲୁଟ୍‌ ହୋଇଛି। ପୂର୍ବାହ୍ଣ ପ୍ରାୟ ୧୧ଟା ୨୦ମିନିଟ୍‌ ସମୟରେ ୩ଜଣ ମହିଳା ସାମନ୍ତରାପୁରସ୍ଥିତ ଦୁର୍ଗା ଦେବୀ ଜୁଏଲାରିକୁ ଯାଇଥିଲେ। ସେମାନେ ସୁନା ଚେନ୍‌ ଦେଖିବା ବାହାନାରେ ଦୁଇଟି ଚେନ୍‌ ଆଣି ଗୋଟିଏ ୬୦ହଜାରରୁ ଊର୍ଧ୍ୱ ଟଙ୍କାର ପ୍ରାୟ ୧୯ଗ୍ରାମ ୧୬୦ମିଲି ଗ୍ରାମ ଓଜନର ଚେନ୍‌କୁ ହାତ ପାପୁଲିରେ ଲୁଚାଇ ଦେଇଥିଲେ। ପରେ ସେମାନେ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଦୋକନୀଙ୍କ ସନ୍ଦେହ ହେବାରୁ ସେମାନେ ଚେନ୍‌ଗୁଡ଼ିକ ଗଣଥିଲେ। ଫଳରେ ଗୋଟିଏ ଚେନ୍‌ ନଥିବା ଜାଣି ସଂପୃକ୍ତ ମହିଳାଙ୍କୁ ଖୋଜାଖୋଜି କରିଥିଲେ। ମାତ୍ର ସେମାନଙ୍କୁ ପାଇ ନଥିଲେ। ଏନେଇ ଦୋକନର ମାଲିକ ପ୍ରଶାନ୍ତ କୁମାର ସାହୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୋକନର ସିସିଟିଭି ଫୁଟେଜ୍‌ ଯାଞ୍ଚ ଚଳାଇଛି।

ସମ୍ବନ୍ଧିତ ଖବର