ସ୍ମରଣୀୟ ସତର : ନିଶ୍ୱାସରେ ନିଶା

ଅପରାଧ

ସରି ସରି ଯାଉଛି ସତର। ଖୁବ୍‌ ଶୀଘ୍ର ଆସିବ ଅଠର । ବିଦାୟୀ ବର୍ଷରେ କମିସନରେଟ୍‌ ପୁଲିସ ଅନେକ ଯୋଜନା କରିଛି। ସେଥିରୁ କିଛି ସଫଳ ହୋଇଥିବାବେଳେ ଅନେକ କ୍ଷେତ୍ରରେ ବିଫଳତା ମଧ୍ୟ ଦେଖାଯାଇଛି। ଏ ସବୁ ଭିତରେ କିନ୍ତୁ କମି ନ ଥିଲା ଅପରାଧୀଙ୍କ ରାଜ୍‌। ସାଧାରଣ ଲୋକଙ୍କୁ ମିଳିନାହିଁ ସୁରକ୍ଷାର ଗ୍ୟାରେଣ୍ଟି। ଦିନ ଦ୍ୱିପ୍ରହରରେ ହେଉ ଅବା ନିଶାର୍ଧ, ବେଧଡ଼କ ଭାବେ ମାତିଛନ୍ତି ଅପରାଧୀ। ଚୋରି, ସିନ୍ଧିଚୋରି, ଛିନ୍‌ତାଇ, ଲୁଟ୍‌ ଓ ହତ୍ୟାକାଣ୍ଡ ପରେ ହତ୍ୟାକାଣ୍ଡ ଘଟାଇ ରଚାଇଛନ୍ତି ଆତଙ୍କର ବାତାବରଣ। ଅଧିକାଂଶ କ୍ଷେତ୍ରରେ ଅପରାଧୀଙ୍କୁ କାବୁ କରିବାରେ ପୁଲିସ ବିଫଳ ହୋଇଛି। କାମ ଦେଇ ନାହିଁ ନୂଆ ରଣନୀତି ଓ ଯୋଜନା। ଚଳିତ ବର୍ଷ ରାଜଧାନୀ ନିଶାର ବଳୟ ମଧ୍ୟରେ ରହିଛି। ରାଜଧାନୀର କୋଣ ଅନୁକୋଣରେ ଏବେ ନିଶାର କାରବାର ଚାଲିଛି। ବ୍ରାଉନସୁଗାର ଓ ଗଞ୍ଜେଇ ଧୂଆଁ ଏବେ ଯୁବପିଢ଼ିଙ୍କୁ ଗ୍ରାସ କରିଗଲାଣି।

ଉପସ୍ଥାପନା- ତାପସ ଦାସ, ହିତେଶ ନାୟକ

ହତ୍ୟାକାଣ୍ଡ

ଚଳିତ ବର୍ଷ ରାଜଧାନୀରେ ୨୦ଟି ହତ୍ୟାକାଣ୍ଡ ଘଟିଛି। ସେଥି ମଧ୍ୟରୁ ମଞ୍ଚେଶ୍ୱର ଓ ଚନ୍ଦକା ଥାନା ଅଧୀନରେ ଘଟିଥିବା ହତ୍ୟାକାଣ୍ଡର ଏଯାଏ ପର୍ଦାଫାସ ହୋଇ ନାହିଁ। ମଞ୍ଚେଶ୍ୱର ଥାନା ଅଧୀନ କୁଆଖାଇ ନଦୀପଠାରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା। ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଏକ କଫିନ୍‌ ବକ୍ସ ଭିତରୁ ମିଳିଥିଲା। ସେହିପରି ଚନ୍ଦକା ଥାନା ଅଧୀନରେ ଘଟିଥିଲା ୩ଟି ହତ୍ୟାକାଣ୍ଡ। ଏସବୁ ହତ୍ୟାକାଣ୍ଡ ଉପରୁ ଏଯାଏ ପରଦା ଉଠିନାହିଁ। ଇନ୍‌ଫୋସିଟି ଥାନା ଅଧୀନ ମହିଳା ଫାର୍ମାସିଷ୍ଟ ହାସିନା ଦାସ ହତ୍ୟାକାଣ୍ଡ ଏ ବର୍ଷର ସବୁଠୁ ଅଧିକ ଚର୍ଚିତ ଥିଲା।

୩ ଏନ୍‌କାଉଣ୍ଟର, ୩୫ ବନ୍ଧୁକ ଜବତ

ଚଳିତ ବର୍ଷ କମିସନରେଟ୍‌ ପୁଲିସ ସହିତ ଅପରାଧୀମାନେ ୩ ଥର ମୁହାଁମୁହିଁ ହୋଇଛନ୍ତି। ସ୍ପେସାଲ୍‌ ସ୍କ୍ଵାଡ୍‌ ଗୁଳିରେ ୩ ଜଣ ଦୁର୍ଦାନ୍ତ ଅପରାଧୀ ଘାଇଲା ହୋଇଛନ୍ତି। ସେହିପରି ସ୍ପେସାଲ୍‌ ସ୍କ୍ଵାଡ୍‌, କ୍ୟୁଏଟି ଓ ଅନ୍ୟ ଥାନା ପୁଲିସ ବିଭିନ୍ନ ସମୟରେ ଅପରାଧୀମାନଙ୍କଠାରୁ ଚଳିତ ବର୍ଷ ପାଖାପାଖି ୩୫ଟି ବନ୍ଧୁକ, ୧୦୨ଟି ଅଫୁଟା ଗୁଳି ଜବତ କରିଛି। ବର୍ଷ ଶେଷରେ ପୁଲିସ ନକୁଳ ମହାକୁଡକୁ ଏନ୍‌ଏସ୍‌ଏରେ ବୁକ୍‌ କରି ଆଉ ଏକ ରେକର୍ଡ କରିଛି।

ଦୁଷ୍କର୍ମ

ବର୍ଷର ଶେଷ ଆଡକୁ ମଞ୍ଚେଶ୍ୱର ଥାନା ଅଧୀନ ହାଇଟେକ୍‌ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ବର୍ଷର ସବୁଠାରୁ ଚର୍ଚାର ବିଷୟ। ଜଣେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ସେହି କଲେଜର ଜଣେ ଆଟେଣ୍ଡାଣ୍ଟ ମନୋଜ ଖଟୁଆ ଦୁଷ୍କର୍ମ କରିଥିଲା। ଏହି ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି। ସେହିପରି ସହିଦନଗର ଥାନା ଅଧୀନ ଶାନ୍ତିପଲ୍ଲୀ ବସ୍ତିରେ ଜଣେ ଯୁବତୀଙ୍କୁ ସେହି ବସ୍ତିର ଦୁଇ ଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ପୁଲିସ ନିମାପଡ଼ା ଅଞ୍ଚଳର ରଶ୍ମିରଂଜନ ଦାସ ଓ ସନାତନ ବେହେରା ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିଲା। ସେହିପରି କେଉଁଝରର ନାବାଳିକାଙ୍କୁ ରାଜଧାନୀରେ ଦୁଷ୍କର୍ମ ହୋଇଥିଲା। ଅଭିଯୁକ୍ତ ନାବାଳିକାର ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗକୁ କାମୁଡ଼ି ରକ୍ତାକ୍ତ କରି ପକାଇଥିଲା।

ଅଗ୍ନିକାଣ୍ଡରେ ଉଜୁଡ଼ି ଗଲା ସଂସାର

ଚଳିତ ବର୍ଷ ରାଜଧାନୀରେ ଅନେକ ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ଜଳି ପାଉଁଶ ହୋଇ ଯାଇଛି। କିନ୍ତୁ ଲକ୍ଷ୍ମୀସାଗର ଥାନା ଅଧୀନ କଟକରୋଡ ବୁଦ୍ଧେଶ୍ୱରୀ କଲୋନିରେ ପାଲ ହାଇଟ୍ସ ରେସିଡେନ୍ସିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ଏବେ ବି ଚର୍ଚାରେ। ଅଗ୍ନିକାଣ୍ଡରେ ସତପାଲ ସିଂହଙ୍କ ପୁଅ ଗଗନ ପାଲସିଂ, ବୋହୂ ଭାବନା ସିଂହ, ନାତି ରୁବିର ସିଂହ, ନାତୁଣୀ ସୋହାବି ସିଂ ଓ ସହାୟିକା ଖୁସି ଦାସ ଅଗ୍ନିକାଣ୍ଡ ଜୀବନ୍ତ ଦଗ୍ଧ ହୋଇଥିଲେ। ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ହଳଦୀପଡ଼ିଆ ବସ୍ତି ବ୍ରାଉନସୁଗାର ହବ୍‌

ଚଳିତ ବର୍ଷ ନିଶାର ବଳୟ ମଧ୍ୟରେ ରହିଛି ରାଜଧାନୀ। କୋଣ ଅନୁକୋଣରେ ଏବେ ବ୍ରାଉନ୍‌ସୁଗାରଠାରୁ ଆରମ୍ଭ କରି ଗଞ୍ଜେଇ ବେଧଡ଼କ ଭାବେ ବିକ୍ରି ହେଉଛି। ଅବକାରୀ ବିଭାଗ ଓ ପୁଲିସ ବାରମ୍ବାର ଚଢ଼ଉ କରୁଥିଲେ ମଧ୍ୟ ନିଶା ବେପାରିଙ୍କ ଉପରେ ଏହାର କାଣିଚାଏ ବି ପ୍ରଭାବ ପଡ଼ି ନାହିଁ। ଜଣକ ପରେ ଜଣେ ନୂଆ ନୂଆ ନିଶା ବେପାରି ଏହି ଜଗତରେ ପାଦ ଥାପୁଛନ୍ତି। ବ୍ରାଉନ୍‌ସୁଗାର ବେପାର ଏବେ ରାଜଧାନୀରେ କାୟା ବିସ୍ତାର କରି ଗଲାଣି। ଲକ୍ଷ୍ମୀସାଗର ଥାନା ଅଧୀନ ହଳଦିପଡ଼ିଆ ବସ୍ତି, ମଞ୍ଚେଶ୍ୱର ଥାନା ଅଧୀନ ପଳାସୁଣୀ, ଚକେଇସଆଣି, ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ମଧ୍ୟ ବେଧଡ଼କ ବ୍ରାଉନସୁଗାର ବେପାର ହେଉଛି। କ୍ୟୁଏଟି ଏ ବର୍ଷ ସର୍ବାଧିକ ୩୫ ଜଣ ବ୍ରାଉନସୁଗାର ବେପାରିଙ୍କୁ ଗିରଫ କରିବା ସହିତ ପାଖାପାଖି ୫ କୋଟି ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରି ସାରିଛି।

୭ଟି ଘର ଘୋଷଣା ହେଲା ବେଶ୍ୟାଳୟ

ରାଜଧାନୀର ୬ଟି ଏବଂ କଟକର ଗୋଟିଏ ଘରକୁ କମିସନରେଟ୍‌ ପୁଲିସ ଚଳିତ ବର୍ଷ ବେଶ୍ୟାଳୟ ବୋଲି ଘୋଷଣା କରିଥିଲା। ଅର୍ଥାତ ସେହି ଘରେ ବେଶ୍ୟାବୃତ୍ତି ଚାଲୁଥିଲା। ଲୁଚାଛପାରେ ନୁହେଁ ଖୁଲମ ଖୁଲା ହେଉଥିଲା। ସେକ୍ସ ଦଲାଲମାନେ ରୂପଜୀବୀମାନଙ୍କୁ ରଖି ଚଳାଉଥିଲେ ଏହି କାରବାର। ମାସକୁ ରୋଜଗାର କରୁଥିଲେ ଲକ୍ଷାଧିକ ଟଙ୍କା। ଘର ମାଲିକଙ୍କ ଅଜାଣତରେ ନୁହେଁ ବରଂ ଜାଣତରେ ଚାଲିଥିଲା ଏହି ଧନ୍ଦା। ସେକ୍ସ ର‍୍ୟାକେଟ୍‌ର ରୂପଜୀବୀଙ୍କୁ ପୁଲିସ ବେଶ୍ୟା ବୋଲି ଦର୍ଶାଇଥିବାବେଳେ ସେହି ଘରକୁ ବେଶ୍ୟାଳୟ ଘୋଷଣା କରିଛି।

ହନିମୁନ୍‌ ରାତିରେ ଓ୍ଵାଇଫ୍‌ ସ୍ୱାପିଂ

ବଡ଼ଘର ବଡ଼ ଗୁମର କଥା ଭଳି ଶଳ୍ପପତି ତୈ୍ରଲୋକ୍ୟ ମିଶ୍ରଙ୍କ ବୋହୂ ଗତ ମାର୍ଚ ମାସରେ ଏକ ଚାଞ୍ଚଲ୍ୟକର ବୟାନ ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ। କହିଥିଲେ ତାଙ୍କୁ ହନୁମୁନ୍‌ ରାତିରେ ପତି ସବ୍ୟସାଚୀ ଓ୍ଵାଇଫ ସ୍ୱାପିଂ କରିଥିଲେ। ଏ ନେଇ ଲୋପାମୁଦ୍ରା ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଲୋପାମୁଦ୍ରାଙ୍କ ଏଭଳି ଅଭିଯୋଗ ରାଜଧାନୀ ସମେତ ରାଜ୍ୟରେ ଚର୍ଚାର ବିଷୟ ଥିଲା।

ଚଳନ୍ତା ବସ୍‌ରେ ଯୁବତୀଙ୍କୁ ଅସଦାଚରଣ

ବହୁ ଆଡ଼ମ୍ବରରେ ଲଘୁ କ୍ରିୟା। ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କମିସନରେଟ୍‌ ପୁଲିସ ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ପ୍ରକୃତରେ ମହିଳାଙ୍କ ସୁରକ୍ଷା ପାଇଁ କମିସନରେଟ୍‌ ପୁଲିସ କେତେ ତପ୍ତର ତାହା ମାର୍ଚ ମାସରେ ଏକ ବସ୍‌ ଭିତରେ ଘଟିଥିବା ଏକ ଘଟଣାରୁ ସ୍ପଷ୍ଟ। ଏ ନେଇ ଯୁବତୀ ଜଣକ ଡାଏଲ-୧୦୦ ଏବଂ କମିସନରେଟ୍‌ ପୁଲିସର ମହିଳା ସେଲ୍‌ଙ୍କୁ ଜଣାଇଥିଲେ ମଧ୍ୟ ପୁଲିସ ଏହାର କୌଣସି ଉତ୍ତର ଦେଇ ନ ଥିଲା। ବସ୍‌ ଭିତରେ ଥିଲେ ୬୦ରୁ ଅଧିକ ଯାତ୍ରୀଥିଲେ। କିନ୍ତୁ ହଜି ଯାଇଥିଲା ସମସ୍ତଙ୍କର ମାନବିକତା। ଯୁବତୀଙ୍କୁ ହେଉଥିବା ଅସଦାରଚଣ ବେଳର ଦୃଶ୍ୟକୁ ସମସ୍ତେ ଉପଭୋଗ କରୁଥିଲେ। କିନ୍ତୁ ଜଣେ ହେଲେ ବି ଯୁବତୀଙ୍କ ସପକ୍ଷରେ ଆସି ପାଟି ଫିଟାଇ ନ ଥିଲେ। ଏପରିକି ଯୁବତୀ ଜଣକ ସୁରକ୍ଷା ପାଇଁ ପୁଲିସ କଣ୍ଟ୍ରୋଲ ରୁମ୍‌ ଡାଏଲ ୧୦୦ ଏବଂ କମିିସନରେଟ୍‌ ପୁଲିସର ଓମେନ୍‌ ହେଲପ୍‌ ଲାଇନ୍‌ ନମ୍ବର ୧୦୯୧ରେ ଯୋଗାଯୋଗ କରିଥିଲେ। କିନ୍ତୁ କିଛି ସୁଫଳ ମିଳି ନ ଥିଲା। ନା କୌଣସି ଉତ୍ତର ମିଳି ଥିଲା ଡାଏଲ ୧୦୦ରୁ, ନା ଓମେନ୍‌ ହେଲପ ଲାଇନ୍‌ ନମ୍ବର ୧୦୯୧ରୁ। ଶେଷରେ ଯୁବତୀ ଜଣକ ସମସ୍ତ ଘଟଣାକୁ ସୋସିଆଲ୍‌ ମେଡିଆ ଫେସ୍‌ବୁକରେ ସେୟାର କରିବା ସହ ଏନେଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରାପଡ଼ା ସାଂସଦ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କୁ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ନେଇ ଉତ୍ତରଦାୟୀ କରଥିଲେ। ଏହି ଘଟଣା ସେତେବେଳେ ଚର୍ଚାର ବିଷୟ ହୋଇଥିଲା।

ଚର୍ଚିତ ଆତ୍ମହତ୍ୟା

ଚଳିତ ବର୍ଷ ସବୁଠାରୁ ଅଧିକ ଚର୍ଚିତ ଆତ୍ମହତ୍ୟା ଘଟଣା ଥିଲା ପାଢ଼ୀ ଟ୍ୟୁଟୋରିଆଲ ମୁଖ୍ୟ ଜାନକୀ ପାଢ଼ୀଙ୍କ ଆତ୍ମହତ୍ୟା ଘଟଣା। ଋଣ ବୋଝ ସହି ନ ପାରି ଜାନକୀ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ଘଟଣା ଏବେ ରହସ୍ୟମୟ ହୋଇ ରହିଛି। ସେହିପରି କ୍ୟାପିଟାଲ ଥାନା ଅଧୀନ ଡିଏଭତି ମ୍ୟାନେଜମେଣ୍ଟ ଛାତ୍ରୀ ତାନିଆ ବାନାର୍ଜି ଆତ୍ମହତ୍ୟା ଘଟଣା ଏବେ ରହସ୍ୟମୟ ହୋଇ ରହିଛି। ପରିବାର ଲୋକ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି।

ଥାନା କ୍ୟାମ୍ପସ ଭିତରେ ଫୁଟିଲା ଗୁଳି

ଚଳିତ ବର୍ଷ ମେ ମାସ ୨୮ ତାରିଖ ସଂଧ୍ୟାରେ ପୁଲିସ ଉପସ୍ଥିତିରେ ଥାନା କ୍ୟାମ୍ପସ ଭିତରେ ମଧ୍ୟ ଗୁଳି ଫୁଟିଥିଲା। ଏଥିରେ ପ୍ରଭାକର ମିଶ୍ର(୫୦) ନାମକ ଜଣେ ଉବେର କାର ଚାଳକ ଗୁରୁତର ହୋଇଥିଲେ। ରକ୍ତାକ୍ତ ଅବସ୍ଥାରେ ପୁଲିସ ପ୍ରଭାକରଙ୍କୁ ଉଦ୍ଧାର କରି ଲକ୍ଷ୍ମୀସାଗର ଛକରେ ଥିବା ସନ୍‌ ସାଇନ୍‌ ହସ୍ପିଟାଲରେ ଭର୍ତି କରିଥିଲା। ପ୍ରଭାକରଙ୍କ ନିଜ ଘର ପୁରୀ ଜିଲ୍ଲା ସାତଶଙ୍ଖ ଥାନା ଅଧୀନ ବୀରପୁରୁଷୋତ୍ତମପୁରରେ। ଏଠାରେ ସେ ପରିବାର ସହିତ ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଗଣେଶମଣ୍ଡପ ସମ୍ମୁଖ ଷ୍ଟେଜ୍‌-୫ରେ ରୁହନ୍ତି। ଏକ ତରଫା ପ୍ରେମକୁ ନେଇ ସ୍ନେହାଶିଷ ମିଶ୍ର ଓରଫ ପିନୁକୁ ନାମକ ଜଣେ ଯୁବକକୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ ଜବତ କରିଥିଲା। ପ୍ରଭାକରଙ୍କ ନାବାଳିକା ଝିଅକୁ ଏକତରଫା ପ୍ରେମ କରି ପିନୁ ଏଭଳି ଗୁଳିକାଣ୍ଡ ଘଟାଇଥିଲା ବୋଲି ପୁଲିସ କହିଥିଲା।

ଜାତୀୟ ରାଜପଥ ନେଇଛି ୧୨୮ ମୁଣ୍ଡ

ରାଜଧାନୀରେ ଚଳିତ ବର୍ଷ ୫୩୮ଟି ଦୁର୍ଘଟଣା ଘଟିଥିବାବେଳେ ୧୬୮ ଜଣଙ୍କ ମୃତ୍ୟୁ ଘଟିଛି। ସେଥି ମଧ୍ୟରୁ ଜାତୀୟ ରାଜପଥ ଉପରେ ମୃତ୍ୟୁ ଘଟିଛି ୧୨୮ ଜଣଙ୍କର। ଖଣ୍ଡଗିରି ଓ ପଳାଶୁଣୀ ଛକ ସହରର ଦୁଇଟି ଡେଥଜୋନ୍‌ରେ ପରିଣତ ହୋଇଛି। ପ୍ରତ୍ୟେକ ମାସରେ ଏହି ଦୁଇ ଛକରେ ୧୨ରୁ ୧୫ ଜଣଙ୍କ ମୃତ୍ୟୁ ଘଟୁଥିବା ପୁଲିସ ହିସାବ କହୁଛି। ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ଅଧିକାଂଶ ଯୁବକ। ନିଶାସକ୍ତ ଅବସ୍ଥାରେ ଟ୍ରକ୍‌ ଚାଳକମାନେ ଗାଡ଼ି ଚଳାଇ ଏଭଳି ଦୁର୍ଘଟଣା ଘଟାଇଛନ୍ତି।

ବିଜେପି ରାଜ୍ୟ ସଭାପତିଙ୍କ ମୁଣ୍ଡରେ ନକଲି ବନ୍ଧୁକ

ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେବା ଘଟଣା ରାଜଧାନୀରେ ହଟଚମଟ ସୃଷ୍ଟି କରିଥିଲା। ନଭେମ୍ବର ୨୦ତାରିଖରେ ଶ୍ରୀ ପଣ୍ଡା ରାଜ୍ୟ କାର୍ଯ୍ୟାୟରେ ଏକ ସଭାରେ ବସିଥିବା ସମୟରେ କଟକ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ସମ୍ବିତ ପଣ୍ଡ ଓ ବାରଙ୍ଗ ଅଞ୍ଚଳର ପିନାକି ମହାନ୍ତି ନାମକ ୨ଜଣ ଯୁବକ ସଭାକୁ ପଶି ଯାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଉଦ୍ୟମ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଯଦିିଓ ଏହା ଏକ ଖେଳନା ବନ୍ଧୁକ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ହେଲେ ସଭାଚାଲିଥିବା ସମୟରେ ଯୁବକ ଦ୍ୱୟଙ୍କ ଏଭଳି କାଣ୍ଡ ଦେଖି ସଭାରେ ଥିବା ସମସ୍ତ କାର୍ଯ୍ୟକର୍ତ୍ତା ଭୟଭୀତ ହୋଇଯାଇଥିଲେ।

ସେକ୍ସ ର‍୍ୟାକେଟ୍‌ରେ ବିଦେଶିନୀ

ରାଜଧାନୀରେ ମାଳମାଳ ସେକ୍ସ ର‍୍ୟାକେଟ୍‌ ଧରା ପଡ଼ିଛନ୍ତି ଚଳିତ ବର୍ଷ। କେଉଁଠି ପାର୍ଲର ନାଁରେ ସେକ୍ସ ର‍୍ୟାକେଟ୍‌ ଠାବ ହୋଇଥିଲା ତ ଆଉ କେଉଁଠି ମାସଜ ସେଣ୍ଟର୍‌ରେ ସେକ୍ସ ର‍୍ୟାକେଟ। ପୁଲିସ ଚଳିତ ବର୍ଷ ୩୫ଟି ସେକ୍ସ ର‍୍ୟାକେଟ୍‌ ଠାବ କରିଛି। ୫୦ରୁ ଅଧିକ ରୂପଜୀବୀଙ୍କୁ ଉଦ୍ଧାର କରିଛି ପୁଲିସ। ସେମାନଙ୍କ ମଧ୍ୟରୁ ଅଧିକାଂଶ ବଙ୍ଗୀୟ। ବଡ଼ କଥା ହେଉଛି ଚଳିତ ବର୍ଷ ବିଦେଶୀ ଯୁବତୀ ସେକ୍ସ ର‍୍ୟାକେଟରୁ ଉଦ୍ଧାର ହେବା। ଖାରବେଳନଗର ଥାନା ଅଧୀନ ୟୁନିଟ-୩ ହେଭେନ୍‌ ସ୍ପାରୁ ୪ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ନୂଆପଲ୍ଲୀ ଥାନା ଅଧୀନରେ ଜଣେ ସରକାରୀ କର୍ମଚାରୀ( ଭିଏଲଡବ୍ଲ୍ୟୁ) ସଂପୃକ୍ତ ହେବା ଘଟଣା ମଧ୍ୟ କମ୍‌ ଚର୍ଚାରେ ନ ଥିଲା।

ସମ୍ବନ୍ଧିତ ଖବର