ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ ଠକେଇ : ବ୍ୟାଙ୍କ ପ୍ରବନ୍ଧକଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା କୋଟି କୋଟି ଟଙ୍କା ଋଣ ଦୁର୍ନୀତି ଅଭିଯୋଗରେ କ୍ରାଇମବ୍ରାଞ୍ଚ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ବିଜୟ କୁମାର ନାୟକ(୪୪)। ସେ ଆହ୍ଲାବାଦ ବ୍ୟାଙ୍କ କଟକ ନୟାସଡ଼କ ଶାଖାର ବରିଷ୍ଠ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କୁ କଟକଠାରେ ଥିବା ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି।

ସୂଚନା ମୁତାବକ, ୨୦୦୯ରୁ ୨୦୧୦ ମଧ୍ୟରେ ୮୫ ଜଣ ବ୍ୟକ୍ତି ନିଜକୁ ଗଣ୍ଡରପୁର ଡ୍ରେନେଜ୍‌ ବିଭାଗରେ କର୍ମଚାରୀ ବୋଲି ପରିଚୟ ଦେଇ ନୟାସଡ଼କ ଆହ୍ଲାବାଦ୍‌ ବ୍ୟାଙ୍କରୁ ୨.୨୬ କୋଟି ଟଙ୍କା ଋଣ ନେଇଥିଲେ। ପରବର୍ତୀ ସମୟରେ ଜଣା ପଡ଼ିଥିଲା କି ସେମାନେ କର୍ମଚାରୀ ନୁହନ୍ତି ବରଂ କାଗଜପତ୍ରରେ ଜାଲିଆତି କରି ଏଭଳି ଠକେଇ କରିଛନ୍ତି। ଏ ନେଇ ବ୍ୟାଙ୍କ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଯେଉଁଥିରେ ବିଜୟ ମଧ୍ୟ ନିଜକୁ ଜଣେ କନିଷ୍ଠ ଯନ୍ତ୍ରୀ ଦର୍ଶାଇ ୩ଲକ୍ଷ ଟଙ୍କା ଋଣ ନେଇଥିଲେ। ଘଟଣା ପଦାକୁ ଆସିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। ଆଜିର ଗିରଫଦାରୀକୁ ମିଶାଇଲେ ୨୪ ଜଣ ଏହି ମାମଲାରେ ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର