ପ୍ଲଟ୍‌ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ : ବିଲଡର୍‌ଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ପ୍ଲଟ ଓ ଘର ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳ୍ୟୁ) େଓ୍ଵଲ୍‌ ବିଲ୍ଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଜଣେ ବିଲ୍ଡରକୁ ଗିରଫ କରିଛି। ସେ ହେଲେ, କଟକ ସିଡିଏ ସେକ୍ଟର-୯ ଅଞ୍ଚଳର ସେକ୍‌ ମଜହାର (୬୭)। ୨୦୧୩ ମସିହାରେ ମହମ୍ମଦ ନଓ୍ଵାଜ ହାସନ ନାମକ ଜଣେ ବ୍ୟକ୍ତିଙ୍କୁ ମଜହାର ବାରଙ୍ଗ ଆଦର୍ଶ ନଗର ଅଞ୍ଚଳରେ ପ୍ଲଟ ଓ ରଘୁନାଥପୁର ଅଞ୍ଚଳରେ ଏକ ଦୋକାନ ଘର ଦେବାକୁ କହିଥିଲେ। ହାସନଙ୍କ ମନରେ ବିଶ୍ୱାସ ଆଣିବା ପାଇଁ ମଜହାର ସଂସ୍ଥାର ଏମ୍‌ଡି ରହେମାତୁନ ନେସାଙ୍କ ପାଖକୁ ନେଇ କଥାବାର୍ତ୍ତା କରାଇଥିଲା। ଏହାପରେ ହାସନଙ୍କୁ ଜାଗା ଓ ଘର ଦେଖାଇଥିଲେ। ରେଜିଷ୍ଟ୍ରେସନ ପୂର୍ବରୁ ଉଭୟ ହାସନଙ୍କଠାରୁ ସାଢ଼େ ୨୨.୫୫ ଲକ୍ଷ ଟଙ୍କା ନେଇଥିଲେ। ଅବଶିଷ୍ଟ ଟଙ୍କା ରେଜିଷ୍ଟ୍ରେସନ ସମୟରେ ଦେବା ପାଇଁ କହିଥିଲେ। ତେବେ ଟଙ୍କା ନେବା ପରେ ଆଉ ଉଭୟ ହାସନଙ୍କୁ ଧରାଛୁଆଁ ଦେଇନଥିଲେ। ହାସନ ଟଙ୍କା ମାଗିବାରୁ ଉଭୟ ଧମକ ଦେଇଥିଲେ। ଏନେଇ ହାସନ ଇଓଡବ୍ଳ୍ୟୁରେ ଅଭିଯୋଗ କରିଥିଲେ। ୨୦୧୭ ମସିହା ମାର୍ଚ୍ଚ ୨୨ ତାରିଖରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଗତ ୨ ତାରିଖରେ ଇଓଡବ୍ଲ୍ୟୁ ସଂସ୍ଥାର ଏମ୍‌ଡି ରହେମାତୁନଙ୍କୁ ଗିରଫ କରିଥିବା ବେଳେ ଆଜି ମାଜହାରଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର