ଚାକିରି ଦେବା ନାଁରେ ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ସିଆର୍‌ପିଏଫ୍‌ରେ ଚାକିରି କରାଇ ଦେବା ନାଁରେ ୭୫ ହଜାର ଟଙ୍କା ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ବଳରାମ ବେହେରା(୩୪)। ଜାନୁଆରି ମାସରେ ବଳରାମ ପାଣ୍ଡରା ଅଞ୍ଚଳର କରୁଣାକର ବେହେରା ନାମକ ଜଣେ ଯୁବକଙ୍କୁ ସିଆରପିଏଫ୍‌ରେ ଚାକିରି କରାଇ ଦେବା ପାଇଁ କହି ପ୍ରଥମେ ୫୦ ହଜାର ଓ ପରେ ୨୫ ହଜାର ଟଙ୍କା ନେଇଥିଲା। ଚାକିରି ହେବା ପରେ ଅବଶିଷ୍ଟ ଟଙ୍କା ନେବ ବୋଲି କହିଥିଲା। ଇତି ମଧ୍ୟରେ ୮ ମାସ ବିତି ଯାଇଥିଲେ ମଧ୍ୟ କରୁଣାକରଙ୍କୁ ଚାକିରି ମିଳି ନଥିଲା। ଏ ନେଇ କରୁଣାକର ଟଙ୍କା ଫେରସ୍ତ ମାଗିଥିଲେ। ହେଲେ ବଳରାମ ଟଙ୍କା ନଫେରାଇ ଧମକ ଚମକ ଦେଇଥିଲା। କରୁଣାକର ବାଧ୍ୟ ହୋଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ରବିବାର ସନ୍ଧ୍ୟାରେ ପୁଲିସ ତାକୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ମହିଳାଙ୍କୁ ମାଡ଼ ମାରି ସେବାୟତ ଗିରଫ
ପୁରୁଣା ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ସ୍ପଷ୍ଟ ଦିବାଲୋକରେ ଜଣେ ମହିଳାଙ୍କୁ ମାଡ଼ ମାରିବା ଓ ଅସଦାଚରଣ କରିବା ଅଭିଯୋଗରେ ଆଜି ଲିଙ୍ଗରାଜ ଥାନା ପୁଲିସ ଜଣେ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସ୍ଥାନୀୟ ପଥୁରିଆ ବଡ଼ୁସାହିର ଦ୍ୱାରିକାନାଥ ବଟୁ। ପୁଲିସ ସୂଚନାନୁସାରେ ସ୍ଥାନୀୟ ହାଟରେ ବେପାରୀମାନଙ୍କ ବୋଲହାକ କରି ପେଟ ପୋଷୁଥିବା ଜଣେ ଗରିବ ମହିଳା ଆଜି ସକାଳ ପ୍ରାୟ ୯ଟାବେଳେ ମନ୍ଦିର ସିଂହଦ୍ୱାର ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଦ୍ୱାରିକାନାଥ ସେଠାରେ ତାଙ୍କୁ ଗାଳି କରିବା ସହ ଚୁଟି ଧରି ତଳେ ପକାଇ ଦେଇଥିଲେ। ସେ ଉଠୁଥିବା ବେଳେ ଦ୍ୱାରିକାନାଥ ତାଙ୍କୁ ଗୋଇଠା ମାରି ପୁଣି ତଳେ ପକାଇ ଦେଇଥିଲା। ଏହା ଦେଖି ଉପସ୍ଥିତ ଲୋକ ପାଟିତୁଣ୍ଡ କରିଥିଲେ। ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦ୍ୱାରିକାନାଥଙ୍କୁ ଗିରଫ କରିଥିଲା।

ପାର୍କିଂକୁ ନେଇ କାର୍‌ ଚାଳକଙ୍କୁ ଆକ୍ରମଣ
ଭୁବନେଶ୍ୱର : ପାର୍କିଂକୁ ନେଇ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ପୋଖରୀପୁଟ୍‌ ଫେଜ୍‌-୨ରେ ଜଣେ କାର୍‌ ଚାଳକଙ୍କୁ କାଠ ଫାଳିଆରେ ଆକ୍ରମଣ ହୋଇଛି। ଏ ନେଇ କାର୍‌ ଚାଳକ ନାରାୟଣ ନାୟକ ଏୟାର୍‌ଫିଲ୍‌ଡ ଥାନାରେ ଅଭିଯୋଗ କରିଛନ୍ତି। ନାରାୟଣଙ୍କ ଅଭିଯୋଗ ଅନୁଯାୟୀ ସେ ପୋଖରୀପୁଟ୍‌ ଫେଜ୍‌-୨ ସ୍ଥିତ ରୋଡ୍‌ରେ କାର ପାର୍କିଂ କରିଥିଲେ। ତେବେ କାର୍‌ଟି ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଥିବାରୁ ସେ ସେଠାରୁ କାର ହଟାଇବାକୁ କହିଥିଲେ। ସେଠାରୁ କାର୍‌ ନେବାରେ ବିଳମ୍ବ କରିବାରୁ ବ୍ୟକ୍ତି ଜଣଙ୍କ ତାଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।

ଯୁବକଙ୍କୁ ଆକ୍ରମଣ, ୨ଅଟକ
ଭୁବନେଶ୍ୱର : ଜମିବାଡ଼ି ବିବାଦକୁ ନେଇ ୨ଦିନ ତଳେ ମଧୁସୂଦନ ନଗରର କାର୍ଲିନ ଡେଭିଡ୍‌ ନାମକ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଖାରବେଳନଗର ଥାନା ପୁଲିସ ୨ଜଣଙ୍କୁ ଅଟକ ରଖିଛି। ରବିବାର ବିଳମ୍ବିତ ରାତିରେ କାର୍ଲିନ ଘରେ ଥିବା ବେଳେ ହଠାତ୍‌ ୨୦ରୁ ଊର୍ଦ୍ଧ୍ୱ ଯୁବକ ତାଙ୍କୁ ଅତର୍କିତ ଆକ୍ରମଣ କରିବା ସହ ଘରେ ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର