ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟରେ ଆଜି ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ କଏଦୀ ତାଙ୍କ ପାଇଁ ମାମଲା ଲଢ଼ୁଥିବା ଜଣେ ଆଇନଜୀବୀଙ୍କୁ କୋର୍ଟ ପରିସରରେ ମାଡ଼ ମାରିଛି। ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଇନଜୀବୀମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଆଇନଜୀବୀମାନେ ଏହି ଘଟଣାକୁ ନିନ୍ଦା କରିଛନ୍ତି।
ସୂଚନା ମୁତାବକ, ଜିତେନ୍ଦ୍ର ବିଶ୍ୱାଳ ନାମକ ଜଣେ କଏଦୀ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍ରେ ଥିଲା। ଆଜି ତା’ର କୋର୍ଟରେ ଶୁଣାଣି ଥିଲା। ଶୁଣାଣି ପରେ ଜିତେନ୍ଦ୍ର ନିଜ ପରିବାରଲୋକଙ୍କ ସହ କଥା ହେଉଥିବା ସମୟରେ ସେମାନଙ୍କୁ ଗାଳିଗୁଲଜ କରିଥିଲା। ଜିତେନ୍ଦ୍ରଙ୍କ ପାଇଁ ମାମଲା ଲଢ଼ୁଥିବା ଆଇନଜୀବୀ କୋର୍ଟ ପରିସରରେ ଗାଳିଗୁଲଜ ନ କରିବା ପାଇଁ ଜିତେନ୍ଦ୍ରଙ୍କୁ କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଜିତେନ୍ଦ୍ର ଆଇନଜୀବୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଇନଜୀବୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଜିତେନ୍ଦ୍ରକୁ ଜେଲ୍କୁ ପଠାଯାଇଥିଲା।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର