ଅଭିଯୋଗ ପାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ ପୁଲିସ, ଅପହରଣ କରି ଗଣଦୁଷ୍କର୍ମ ପରେ ମାରି ଗଛରେ ଝୁଲାଇ ଦେଲେ ଦୁର୍ବୃତ୍ତ

ମୋଡାସା(ଗୁଜୁରାଟ): ଜଣେ ୧୯ବର୍ଷୀୟା ଯୁବତୀଙ୍କୁ ପ୍ରଥମେ ଅପହରଣ କରି ପରେ ଗଣଦୁଷ୍କର୍ମ କରିବା ଓ ହତ୍ୟା କରି ଗଛରେ ଝୁଲାଇ ଦେବା ଘଟଣା ଏବେ ଗୁଜୁରାଟର ମୋଡାସା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସବୁଠାରୁ ବଡ଼ କଥା ହେଲା ଝିଅକୁ ଅପହରଣ କରାଯିବା ପରେ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଡିସେମ୍ବର ୩୧ରେ ଅଭିଯୋଗ କରାଯାଇଥିବା ବେଳେ ଜାନୁଆରି ୫ରେ ପୀଡ଼ିତାଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତେବେ ପୁଲିସ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ପୀଡ଼ିତାଙ୍କ ଜୀବନ ବଞ୍ଚି ପାରିଥାନ୍ତା ବୋଲି କହି ସ୍ଥାନୀୟ ଲୋକେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଯାହା ପରେ ପୀଡ଼ିତାଙ୍କ ପରିବାରର ଅଭିଯୋଗ ମୁତାବକ ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ପୁଲିସ ୪ଜଣଙ୍କ ବିରୋଧରେ ଏତଲା ଲେଖିଛି। ସେମାନେ ହେଲେ ବିମଲ, ଦର୍ଶନ, ସତିଶ, ଏବଂ ଜିଗର।

ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବା‌ ମୁତାବକ, ଶେଷ ଥର ପାଇଁ ପୀଡ଼ିତାଙ୍କୁ ବିମଲ ନାମକ ଜଣେ ଯୁବକଙ୍କ ସହ ଦେଖାଯାଇଥିଲା। ବିମଲ ପୀଡ଼ିତାଙ୍କୁ ନିଜର ଆଇ୨୦ କାରରେ ବସାଇ ନେଇଯିବା ସହ ମୁଁ ତୁମ ଝିଅକୁ ଅପହରଣ କରୁଛି, ଯାହା କରିବା କଥା କର ବୋଲି କହି ସେଠାରୁ ଚାଲି ଯାଇଥିଲା। ଏହା ପରେ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥି‌ଲେ ମଧ୍ୟ ଏହାକୁ ପ୍ରେମ ବ୍ୟାପାର ବୋଲି କହି, କିଛି ଦିନ ପରେ ତୁମ ଝିଅ ବିବାହ ପ୍ରମାଣପତ୍ର ଧରି ତୁମ ପାଖରେ ପହଞ୍ଚିଯିବ। ଚିନ୍ତା କର ନାହିଁ ବୋଲି କହି ପୁଲିସ ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ନଥିଲା। ପୁଲିସ ଏଭଳି ଅଣଦେଖ‌ା କରିବା ପରେ ଜାନୁଆରି ୫ରେ ପାଖ ମନ୍ଦିରର ଜଣେ ପୂଜାରୀ ପୀଡ଼ିତାଙ୍କ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଯାହା ପରେ ପୁଲିସ ପାଖରେ ଖବର ପହଞ୍ଚିଥିଲା।

Image result for death
Hindustan Times

ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶବକୁ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଦୁଷ୍କର୍ମ ହୋଇଛି କି ନାହିଁ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର