ହୋଟେଲ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ବର: ଇନ୍ଦ୍ରଧନୁ ମାର୍କେଟସ୍ଥିତ ଏକ ହୋଟେଲରୁ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରିଛି। ଯୁବକଜଣକ ହେଲେ, ଖୋର୍ଧା ଜିଲ୍ଲା କୁଞ୍ଜୁରୀ ଅଞ୍ଚଳର ଶିବରାମ ସୁବୁଦ୍ଧି(୪୮)। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ପୁଲିସ ସୂଚନା ମୁତାବକ, ବୁଧବାର ସକାଳୁ ଇନ୍ଦ୍ରଧନୁ ମାର୍କେଟରେ ଦୁର୍ଗନ୍ଧ ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ବିଏମ୍‌ସିକୁ କହି ଆଖପାଖ ଅଞ୍ଚଳ ସଫା କରିଥିଲେ। ଦିନ ପ୍ରାୟ ସାଢ଼େ ୧୦ଟା ବେଳକୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ିଥିଲା। ଯାହାକୁ ନେଇ ଲୋକମାନେ ସନ୍ଦେହ କରିଥିଲେ। ନିକଟରେ ଥିବା ଏକ ହୋଟେଲରୁ ଦୁର୍ଗନ୍ଧ ବାହାରୁ ଥିବା ଜଣାପଡ଼ିବା ପରେ ଲୋକ ପୁଲିସକୁ ଖବର ଦେଇଥିଲେ। ହୋଟେଲ ବନ୍ଦ ଥିବାରୁ ପୁଲିସ କବାଟ ଭାଙ୍ଗି ଭିତ‌ରେ ପଶିଥିଲା। ଭିତରେ ଶିବରାମଙ୍କ ଗଳିତ ମୃତଦେହ ପଡ଼ିଥିଲା। ତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି କହିଛି।
ହୋଟେଲର ପାର୍ଟନର ଥିଲେ ଶିବରାମ ଓ ତାଙ୍କ ସାଙ୍ଗ ମିଶି ହୋଟେଲ କରିଥିଲେ। କିଛି ଦିନ ହେବ ବ୍ୟବସାୟରେ ମାନ୍ଦା ଥିଲା। ଏହାକୁ ନେଇ ଶିବରାମ ମାନସିକସ୍ତରରେ ବିଚଳିତ ଥିଲେ। ଏମିତିକି ଘରକୁ ମଧ୍ୟ ଯାଉନଥିଲେ। ଅପରପକ୍ଷେ ଶିବରାମଙ୍କ ମୃତଦେହ ଉଦ୍ଧାର ହେବା ବେଳକୁ ତାଙ୍କ ସାଙ୍ଗ ଫେରାର୍‌ ଥିବା ସନ୍ଦେହ ସୃଷ୍ଟି କରୁଛି। ହୋଟେଲର କର୍ମଚାରୀ ଓ ଶିବରାମଙ୍କ ସାଙ୍ଗଙ୍କୁ ପୁଲିସ ଖୋଜୁଛି। ସେହିପରି ଶିବରାମ ଶେଷଥର ପାଇଁ ଗତ ୧୫ ତାରିଖ ସଂଧ୍ୟାରେ ତାଙ୍କ ସାନଭାଇଙ୍କ ସହ ଫୋନ୍‌ରେ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଛି। ତେବେ ଆଉ କିଏ କିଏ ଶିବରାମଙ୍କ ସହ ଜଡ଼ିତ ଥିଲେ, ସେ ନେଇ ପୁଲିସ ତାଙ୍କ ମୋବାଇଲ୍‌ କଲ୍‌ ଡିଟେଲ୍‌ସ ଯାଞ୍ଚ କରିବା ସହ ବିଭିନ୍ନ ଦିଗ ଉପରେ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର