ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ; ହତ୍ୟା ଅଭିଯୋଗ

ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଯୁବକଙ୍କୁ ଆକ୍ରମ

ଭୁବନେଶ୍ୱର: ଗତ ୨୫ ତାରିଖରେ ଆକ୍ରମଣର ଶିକାର ହୋଇଥିବା ପଳାସୁଣିର ମନୋଜ ବାରିକଙ୍କର ଆଜି ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀ ହତ୍ୟା ଅଭିଯୋଗ ଆଣିଛନ୍ତି। ଗତ ୨୫ ତାରିଖରେ ଆକ୍ରମଣ ଅଭିଯୋଗ ଆଣିଥିଲେ ମଧ୍ୟ ପୁଲିସ୍‌ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ବେଳେ ହତ୍ୟା ଅଭିଯୋଗ ଆସିବା ପରେ ଦୁଇଜଣଙ୍କୁ ମଞ୍ଚେଶ୍ୱର ପୁଲିସ୍‌ ଅଟକ ରଖଥିଲା। କିନ୍ତୁ ବିଳମ୍ବିତ ରାତିରେ ଛାଡ଼ି ଦେଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ମନୋଜ ଏକ ଘରୋଇ କମ୍ପନିର ଗାଡ଼ି ଚଳାଉଥିଲେ। ୨୫ ତାରିଖ ଦିନ ସେ ପାରାଦୀପ ଯାଇଥିଲେ। କାମସାରି ଘରକୁ ଫେରୁଥିବା ସମୟରେ ଭୁତୁମ୍‌ୁଣ୍ଡାଇ ପୋଲ ପାଖରେ କିଛି ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ମାଡମାରି ଲୁଟ୍‌ କରିଥିଲେ। ଏ ନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଏକ ମାମଲା ରୁଜୁ କରିଥିଲା। ଆଜି ତାଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କ ପତ୍ନୀ ନିବେଦିତା ବାରିକ ଅଭିଯୋଗ କରିଛନ୍ତି। ସେ ଯେଉଁ କମ୍ପାନିରେ କାମ କରୁଥିଲେ ସେହି କମ୍ପାନିର କେତେକ ଯୁବକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର