୪ ବର୍ଷୀୟା ଶିଶୁକୁ ଦୁଷ୍କର୍ମ କରିଥିବା ଶିକ୍ଷକକୁ ମୃତ୍ୟୁଦଣ୍ଡ

ଭୋପାଲ: ମଧ୍ୟପ୍ରଦେଶର ସତନା ଜିଲ୍ଲାର ଏକ ଅଦାଲତ ୪ ବର୍ଷୀୟା ଶିଶୁ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୩ ବର୍ଷିଅ ସରକାରୀ ଅତିଥି ଶିକ୍ଷକ(ଗେଷ୍ଟ୍‍ ଫାକ୍‌ଲଟି)କୁ ବୁଧବାର ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ଦୁଷ୍କର୍ମ ହେବାର ୮୧ ଦିନରେ ଏହି ମାମଲାର ବିଚାର ହୋଇଛି। ଗତ ୭୯ ଦିନରୁ ପୀଡ଼ିତ ଶିଶୁ ଦିଲ୍ଲୀର ଏମ୍‌ସ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛି। ଶିଶୁଟିର ଅବସ୍ଥାରେ ଏବେ ବି ବିପଦମୁକ୍ତ ନୁହେଁ। ଚାରି ବର୍ଷୀୟା ଏହି ଶିଶୁଟିକୁ ଅପହରଣ କରି ଦୁଷ୍କର୍ମ କରିଥିବା ମହେନ୍ଦ୍ର ସିଂହକୁ ଜିଲ୍ଲା ନ୍ୟାୟାଳୟର ଏଡିଜେ ଦିନେଶ କୁମାର ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ସୁପ୍ରିମ୍‌କୋର୍ଟ ରାୟ ଦେଇଥିଲେ ଯେ ୧୨ ବର୍ଷରୁ କମ୍‌ ବୟସର ଝିଅକୁ ଦୁଷ୍କର୍ମ କଲେ ଦୋଷୀକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ।

ଏହି ଘଟଣା ସତନା ଜିଲ୍ଲା ମୁଖ୍ୟାଳୟରୁ ୩୦ କିଲୋମିଟର ଦୂର ଉଚେହେରା ଥାନାର ପନ୍ନା ଗାଁରେ ଜୁଲାଇ ପହିଲା ରାତିରେ ଘଟିଥିଲା। ନିଜ ଘର ବାହାରେ ଶୋଇଥିବା ଶିଶୁଟିକୁ ମହେନ୍ଦ୍ର ଅପହରଣ କରି ନେଇ ଯାଇଥିଲା। ଶିଶୁଟି ସହ ଦୁଷ୍କର୍ମ କରିବା ପରେ ତାକୁ ଶୂନଶାନ ସ୍ଥାନକୁ ଫୋପାଡ଼ି ଦେଇଥିଲା। ଘଟଣା ଘଟିବା ସମୟରେ ପୀଡ଼ିତା ଶିଶୁର ବାପା ଶୌଚ ପାଇଁ ବାହାରକୁ ଯାଇଥିଲେ। ସେ ଫେରିବା ପରେ ଦେଖିଲେ ତାଙ୍କ ଝିଅ ଘରେ ନାହିଁ। ତା’ପରେ ସେ ଗାଁ ଲୋକଙ୍କ ସହ ଖୋଜିବାରେ ଲାଗିଲେ। ଖୋଜା ଖୋଜି କରିବାରୁ ଗାଁ ପାଖରେ ଥିବା ଏକ ଶୂନଶାନ ଅଞ୍ଚଳରୁ ଝିଅଟି ଗୁରୁତର ଅବସ୍ଥାରେ ମିଳିଥିଲା।

ସମ୍ବନ୍ଧିତ ଖବର