ଦିଲ୍ଲୀରେ ପତ୍ନୀକୁ ହତ୍ୟା କରି, ମସୌରୀରେ ଶବ ଫିଙ୍ଗିବା ପରେ ନିଖୋଜ ଅଭିଯୋଗ ମହଙ୍ଗା ପଡ଼ିଲା; ସ୍ୱାମୀ ଗିରଫ

ନୂଆଦିଲ୍ଲୀ: ନିଜ ପତ୍ନୀକୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରି ମୃତ ଦେହକୁ ଗାଡ଼ିରେ ନେଇ ପାହାଡ଼ ଉପରୁ ତଳକୁ ଫିଙ୍ଗି ଦେବା ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣତ କରିବା ଲକ୍ଷ୍ୟରେ ପୁଲିସ୍‌ରେ ପତ୍ନୀଙ୍କ ନାମରେ ମିଥ୍ୟା ନିଖୋଜ ରିପୋର୍ଟ ଦେବା ଘଟଣା ହତ୍ୟାକାରୀ ସ୍ୱାମୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଘଟଣାର ତଦନ୍ତ କରି ଦିଲ୍ଲୀ ପୁଲିସ୍‌ ସଂପୃକ୍ତ ମହିଳାଙ୍କ ସ୍ୱାମୀ ସମେତ ଅନ୍ୟ ୫ ଜଣଙ୍କୁ ଗିରଫ କରିବା ସହ ପୂରା ଘଟଣା ଉପରୁ ପର୍ଦ୍ଦା ଉଠାଇଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀ ଚଳଚ୍ଚିତ୍ରର କାହାଣୀଠାରୁ କୌଣସି ଗୁଣରେ କମ୍‌ ନୁହେଁ। ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ଦିଲ୍ଲୀର ରାଣୀବାଗ୍‌ ଅଞ୍ଚଳରେ ବସବାସ କରୁଥିବା ୩୬ ବର୍ଷ ବୟସ୍କ ଲଲିତ ଜୈନ୍‌ ୭ ବର୍ଷ ତଳେ ସିଲ୍‌କୀ ଜୈନ୍‌ଙ୍କୁ ବିବାହ କରିଥିଲେ। ଲଳିତ୍‌ ଦିଲ୍ଲୀରେ ‘ପ୍ରପଟି’ (ଜମି, ଘର) ବ୍ୟବସାୟ କରୁଥିଲେ। ବିବାହକୁ ସାତ ବର୍ଷ ହୋଇ ଯାଇଥିଲେ ବି ଏମାନଙ୍କର କୌଣସି ପିଲାପିଲି ନଥିଲେ।

The Indian Express

ତେବେ, ଲଳିତ ଓ ତାଙ୍କ ପତ୍ନୀ ସିଲ୍‌କୀଙ୍କ ମଧ୍ୟରେ ସବୁବେଳେ ପାରିବାରିକ କଳହ ଲାଗି ରହୁଥିଲା। ଲଳିତ ତାଙ୍କର ପିତା, ମାତା, ଭାଇ,ଭାଉଜ, ଭଉଣୀଙ୍କ ସହିତ ଏକ ଯୌଥ ପରିବାରରେ ରହୁଥିଲେ। ହେଲେ, ସିଲ୍‌କୀ ଏହାକୁ ବରଦାସ୍ତ କରିପାରୁ ନଥିଲେ। ତାଙ୍କର ଅଭିଯୋଗ ଥିଲା ଯେ ଲଲିତ ତାଙ୍କ ପିତାମାତା ଓ ପରିବାରକୁ ଅଧିକ ସମୟ ଦେଉଥିବା ବେଳେ ତାଙ୍କୁ ଆଦୌ ସମୟ ଦେଉ ନାହାନ୍ତି। ସେହିପରି ନିଜ ପିତାମାତାଙ୍କୁ ଅଧିକ ଭଲ ପାଉଥିବା ବେଳେ ତାଙ୍କ (ସିଲ୍‌କୀ) ପିତାମାତାଙ୍କୁ ପଚାରୁ ନାହନ୍ତି। ଏହିପରି ଅଭିଯୋଗ କରିବା ସହ ସେ ଲଳିତ୍‌ଙ୍କୁ ଘର ଛାଡ଼ି ଦେଇ ଯାଇ ଅନ୍ୟତ୍ର ଏକୁଟିଆ କେବଳ ତାଙ୍କୁ ସହ ରହିବାକୁ ବାଧ୍ୟ କରୁଥିଲେ। କିନ୍ତୁ, ଲଳିତ ଏଥିରେ ରାଜି ନଥିଲେ। ଫଳରେ ବିନା କାରଣରେ ସେ ସବୁବେଳେ ଲଳିତଙ୍କ ସହିତ ଝଗଡ଼ା ଲାଗିବା ସହ ଘରେ ଅଶାନ୍ତି ସୃଷ୍ଟି କରୁଥିଲେ।

ଗତ ଡିସେମ୍ବର ୩ ତାରିଖ ରାତିରେ ଲଳିତ ଘରକୁ ଫେରିବା ପରେ ସିଲ୍‌କୀ ତାଙ୍କ ସହ ଝଗଡ଼ା ଆରମ୍ଭ କରି ଦେଇଥିଲେ। ତେବେ, ସେଦିନ ଆରମ୍ଭ ହୋଇଥିବା ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା। ଉତ୍ୟକ୍ତ ଲଳିତ ଗୋଟିଏ ବାଡ଼ି ସାହାଯ୍ୟରେ ମାରି ମାରି ଅଧମରା କରି ଦେଇଥିଲେ। ଲଳିତ୍‌ର ମାଡ଼ରେ ସିଲ୍‌କୀ ଅଚେତ୍‌ ହୋଇ ପଡ଼ିଯିବା ପରେ ଲଳିତ ଘଟଣାସ୍ଥଳକୁ ତାଙ୍କ ଭାଇ ଅନ୍ୟ ଦୁଇ ସଂପର୍କୀୟଙ୍କୁ ଘଟଣାସ୍ଥଳୁ ଡକାଇଥିଲେ। ସମସ୍ତେ ଆସିଯିବା ପରେ ଲଳିତ ଏକ ଓଜନିଆ ଲୁହା ସାହାଯ୍ୟରେ ସିଲ୍‌କୀର ମୁଣ୍ଡରେ ଆଘାତ କରିଥିଲେ। ଏହି ଆଘାତରେ ସିଲ୍‌କୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରେ ଲଳିତ ଓ ତାଙ୍କ ସଂପର୍କୀୟମାନେ ମିଶି ମୃତ ଦେହକୁ ଅଖା ବସ୍ତାରେ ପୂରାଇବା ପରେ ଲଳିତର ଗାଡ଼ିରେ ମୃତହେଦକୁ ଲଦି ମସୌରୀକୁ ନେଇଯାଇଥିଲେ। ଏବଂ ସକାଳ ହେବା ଆଗରୁ ରାତି ଅନ୍ଧାରରେ ଏକ ପାହାଡ଼ ଉପରୁ ତଳକୁ ଫିଙ୍ଗି ଦେଇ ଚାଲି ଆସିଥିଲେ।

ପରେ, ଲଳିତ ଓ ଅନ୍ୟମାନେ ଯେପରି କିଛି କେଉଁଠି ଘଟିନାହିଁ ସେହିପରି ଆଚରଣ ପାଖ ପଡ଼ୋଶୀଙ୍କ ସହ କରିଥିଲେ। ଏପରିକି ଏହି ଘଟଣା ପରେ ସିଲ୍‌କୀଙ୍କ ମୋବାଇଲ୍‌ ଫୋନ୍‌କୁ ସୁଇଚ୍‌ ଅଫ୍‌ ନ କରି ଲଳିତ ତାହାକୁ ନିଜେ ବ୍ୟବହାର ସୁଦ୍ଧା କରୁଥିଲେ। ଯେହେତୁ, ସିଲ୍‌କୀଙ୍କ ପିତାମାତା ତାଙ୍କ ସହ ଫୋନ୍‌ ସିବୁଦିନେ ସମ୍ପର୍କ ରଖନ୍ତି ନାହିଁ, ସେଥିପାଇଁ ଏତେସବୁ ଘଟଣା ବାବଦରେ ଜାଣିପାରି ନଥିଲେ। ଅବଶ୍ୟ ସିଲ୍‌କୀଙ୍କ ମୋବାଇଲ୍‌କୁ ଏହି ଘଟଣା ପରେ ଦିନେ ତାଙ୍କ ମା’ ଫୋନ୍‌ କରିଥିଲେ। ହେଲେ, ଲଳିତ୍‌ ଫୋନ୍‌ ଧରି କହିଥିଲେ ଯେ ସେ ଏବେ ଘରକାମରେ ବ୍ୟସ୍ତ ଅଛି ଏବଂ ଫୋନ୍‌ ଧରିପାରିବ ନାହିଁ।

Daily Sun

ହେଲେ, ଏହି ଘଟଣାର ୮ ଦିନ ପରେ ଅର୍ଥାତ୍‌ ୧୧ ତାରଖ ସୋମବାର ଲଳିତ ରାଣୀବାଗ୍‌ ପୁଲିସ୍‌ ଥାନାକୁ ଯାଇ ତାଙ୍କ ପତ୍ନୀ ସିଲ୍‌କୀ ଗତ ୩ ତାରିଖରୁ ଘରୁ ବଜାରକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନାହାନ୍ତି, ଏବଂ ସେ କେଉଁ ଆଡ଼େ ନିଖୋଜ ହୋଇ ଯାଇଛନ୍ତି ବୋଲି ଏକ ମିସିଙ୍ଗ୍‌ ରିପୋର୍ଟ ଦାଖଲ କରିଥିଲେ। ଏହି ମିସିଙ୍ଗ୍‌ ରିପୋର୍ଟ ଉପରେ ତଦନ୍ତ ଆରମ୍ଭ କରି ପୁଲିସ୍‌ ସିଲ୍‌କିଙ୍କୁ ଖୋଜିଖୋଜି ଆରମ୍ଭ କରିବା ସହ ତାଙ୍କ ପିତାମାତାଙ୍କୁ ମଧ୍ୟ ଯୋଗାଯୋଗ କରିଥିଲା। ସିଲ୍‌କିର ପିତାମାତା ତା’ର ନିଖୋଜ ହେବା ବିଷୟରେ ଲଳିତ କିମ୍ବା ତା’ ପରିବାର ଠାରୁ କୌଣସି ସୂଚନା ପାଇ ନଥିବା ପୁଲିସ୍‌କୁ କହିଥିଲେ। ଏହାପରେ ପୁଲିସ୍‌ ଲଳିତ୍‌ ଉପରେ ସନ୍ଦେହ କରି ତାକୁ ଥାନାକୁ ଡକାଇଥିଲେ। ପ୍ରଥମେ ଲଳିତ୍‌ ଏଣୁତେଣୁ କହି ଖସି ଯିବାକୁ ବସିଥିଲା। ହେଲେ, ପୁଲିସ୍‌ ଗୁଡ଼େଇ ତୁଡ଼େଇ ପଚାରିବା ପରେ ସେ ପୁଲିସ୍‌ ଆଗରେ ସବୁ କିଛି ସ୍ୱୀକାର କରିବା ସହ ଯେଉଁ ସ୍ଥାନରେ ସିଲ୍‌କୀର ମୃତଦେହକୁ ନେଇ ଫୋପାଡ଼ି ଥିଲା, ସେ ସ୍ଥାନକୁ ପୁଲିସ୍‌ ସହ ଯାଇ ଦେଖାଇଥିଲା। ପରେ ଦିଲ୍ଲୀ ପୁଲିସ୍‌ ଉତ୍ତରାଖଣ୍ଡ ପୁଲିସ୍‌ ଓ ଇଣ୍ଡୋ- ତିବ୍ଦତିଆନ୍‌ ବର୍ଡର ପୁଲିସ୍‌ର ସହାୟତା ନେଇ ବହୁ କଷ୍ଟରେ ମସୌରୀ ପାହାଡ଼ ତଳ ଜଙ୍ଗଲରୁ ସିଲ୍‌କୀର ଗଳିତ ମୃତ ଦେହକୁ ଜବତ କରିଥିଲା। ଏ ସଂପର୍କରେ ରାଣୀବାଗ ପୁଲିସ୍‌ ଲଳିତ୍‌ର ବୟାନ ଆଧାରରେ ଏହି ହତ୍ୟା ମାମଲାରେ ଲଳିତ ସହ ସଂପୃକ୍ତ ଥିବା ତା’ର ବାପା, ଭାଇ, ଭାଉଜ ଏବଂ ଭାଉଜର ଭାଇକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର