ଦୁଇ ବର୍ଷ ଧରି ସ୍ୱାମୀଙ୍କ ସାଙ୍ଗ ବ୍ଲାକ୍‌ମେଲ୍‌ କରୁଥିବାରୁ ଆତ୍ମହତ୍ୟା କଲେ ମହିଳା

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ମାନସରୋବର ପାର୍କରେ ଗୁରୁବାର ଦିନ ଆତ୍ମହତ୍ୟା କରିଥିବା ଜଣେ ୨୮ ବର୍ଷୀୟ ମହିଳା ଲେଖିଥିବା ସ୍ୟୁସାଇଡ୍‌ ନୋଟ୍‌ରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ବନ୍ଧୁ ଗତ ଦୁଇ ବର୍ଷ ହେବ ତାଙ୍କ ଠାରୁ ଦୈହିକ ସୁଖ ଆଶା କରି ପିଛା କରିବା ସହ ବ୍ଲାକ୍‌ମେଲିଙ୍ଗ୍‌ କରୁଥିଲେ। ନୋଟ୍‌ରେ ନାମ ଉଲ୍ଲେଖ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ଥିବା କଥା ପୁଲିସ କହିଛି।

ମିଠା ଦୋକାନ କରିଥିବା ସେ ବ୍ୟକ୍ତିଙ୍କୁ ଭାରତୀୟ ପେନାଲ୍‌ କୋଡ୍‌ର ଧାରା ୩୦୬ରେ ଗିରଫ କରାଯାଇଛି।

ଇଂରାଜୀ ଭାଷାରେ ଲିଖିତ ଅଧପୃଷ୍ଠାର ଚିଟାଉରେ ମହିଳାଜଣକ ସୂଚାଇଛନ୍ତି ଯେ ପରକୀୟ ସମ୍ପର୍କ ରଖିବାକୁ ସ୍ୱାମୀଙ୍କ ସାଙ୍ଗ କହୁଥିବାରୁ ସେ ବିଷାଦ କଷ୍ଟରେ ଥିଲେ। ସ୍ୱାମୀଙ୍କ ନିକଟକୁ ଆପତ୍ତିଜନକ ଫଟୋ ଓ ଭିଡିଓ ପଠାଇ ସେ ତାଙ୍କୁ ବଦନାମ କରିବେ ବୋଲି ଧମକ ଦେଉଥିଲେ। କଥା ନ ରଖିଲେ ସେ ସବୁ ସେ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିବେ ବୋଲି ଧମକ ଦେଉଥିଲେ।

ପୁଲିସ କହିଛି ଯେ ଦିଲ୍ଲୀର କାରୋଲ୍‌ବାଗ ଠାରେ ଏକ କଲ୍‌ ସେଣ୍ଟର୍‌ରେ କାମ କରୁଥିବା ମହିଳାଙ୍କ ସ୍ୱାମୀ ସକାଳ ୮ଟାରେ ଘରକୁ ଫେରି ଫ୍ଲାଟ୍‌ର ଶୋଇବା ଘରେ ପତ୍ନୀଙ୍କ ଝୁଲନ୍ତା ଶବ ଦେଖିବା ପରେ ଘଟଣା ଲୋକ ଲୋଚନକୁ ଆସିଥିଲା। ପୁଲିସ ଆସି ତାଙ୍କୁ ଡାକ୍ତରଖାନା ନେଇଥିଲେ ଏବଂ ସେଠାରେ ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ।

ସ୍ୱାମୀଙ୍କୁ ପଚରାଉଚୁରା କରିବାରୁ ସେ କହିଲେ କି, ସେ ଅଧିକାଂଶ ସମୟ ବିଷାଦଗ୍ରସ୍ତ ରହୁଥିଲେ ଏବଂ ବହୁବାର ପଚାରିଲେ ମଧ୍ୟ ସମସ୍ୟା ସଂକ୍ରାନ୍ତରେ କିଛି କହୁ ନ ଥିଲେ।

ଶୋଇବା ଘର ଖାନତଲାସ କରିବା ପରେ ସ୍ୟୁସାଇଡ୍‌ ନୋଟ୍‌ ମିଳିଥିଲା ଏବଂ ସେଥିରୁ ଅସଲ ଘଟଣା ପଦାକୁ ଆସିଥିଲା।

ସମ୍ବନ୍ଧିତ ଖବର