ବାପା ସେଲ୍‌ଫୋନ୍‌ ଉପହାର ଦେବାକୁ ମନା କରିବାରୁ ଜନ୍ମଦିନରେ ଆତ୍ମହତ୍ୟା କଲା ୧୮ ବର୍ଷୀୟ ଝିଅ

ଚେନ୍ନାଇ: ବାପା ସେଲ୍‌ଫୋନ୍‌ ଉପହାର ଦେଇ ନ ଥିବା କାରଣରୁ ମ୍ରିୟମାଣ ହୋଇ ଜଣେ ୧୮ ବର୍ଷୀୟ କଲେଜ ଛାତ୍ରୀ ଜୀବନ ହାରିଛନ୍ତି। ଗୁରୁବାର ରାତିରେ ଜନ୍ମୋତ୍ସବ ପାଳନ ଶେଷ ହେବାର କେଇ ମିନିଟ୍‌ ପରେ କୋଲାତୁର ଅନ୍ତର୍ଗତ ଜିକେଏମ୍‌ କଲୋନିସ୍ଥିତ ଘରେ ଝିଅଟି ଦେହରେ ନିଅାଁ ଲଗାଇ ଆତ୍ମହତ୍ୟା କରିଛି।

ପୁଲିସ କହେ, ରାଜମିସ୍ତ୍ରୀ ଝିଅ ମାଳତୀ ସମ୍ପର୍କୀୟମାନଙ୍କ ସହ ମିଶି କେକ୍‌ କାଟିଥିଲା।

ସାଙ୍ଗମାନେ ବିଦାୟ ନେଇ ଚାଲିଯିବା ପରେ, ଜନ୍ମଦିନ ଉପହାର ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ସେଲ୍‌ଫୋନ୍‌ ଆଣିଛ କି, ନାହିଁ ସେ ତା’ ବାପାଙ୍କୁ ପଚାରିଥିଲା। ବାପା ବୁଝାଇ କହିଲେ କି, ଫୋନ୍‌ ପାଇଁ ଟଙ୍କା ଯଥେଷ୍ଟ ହେଲା ନାହିଁ, ଆସନ୍ତା ମାସରେ କିଣି ଦେବି।

ଏଥିରେ ଝିଅ ଘରେ ପଶି କବାଟ କିଳି ଦେହରେ ନିଅାଁ ଲଗାଇ ଦେଲା। ପରିବାର ଲୋକେ କବାଟ ଭାଙ୍ଗି ତାକୁ ଉଦ୍ଧାର କରି କିଲପୌକ୍‌ ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍‌ପିଟାଲ୍‌କୁ ନେଇଥିଲେ। ସେଠାରେ ତା’ର ମୃତ୍ୟୁ ଘଟିଲା।

ସାଙ୍ଗମାନେ ସାମାଜିକ ଗଣମାଧ୍ୟମରେ ଫଟୋଚିତ୍ର ଏବଂ ଷ୍ଟାଟସ୍‌ ମେସେଜ୍‌ ପଠାଉଥିବା ଦେଖିବା ପରେ ସେଲ୍‌ଫୋନ୍‌ଟିଏ କିଣି ଦେବାକୁ ମାଳତୀ ବାପାଙ୍କ ପାଖରେ ଜିଦି କରିଥିଲା। ସେ କହିଥିଲା କି, ସାଙ୍ଗମାନଙ୍କ ସହ ପଢ଼ିବା ପାଇଁ ନୋଟ୍‌ ଆଦି ସେ ଫୋନ୍‌ ଦ୍ୱାରା ଆଦାନପ୍ରଦାନ କରି ପାରିବ। କିନ୍ତୁ, ଝିଅ ସେଲ୍‌ଫୋନ୍‌ ବ୍ୟବହାର କରୁ ବୋଲି ବାପା ଚାହୁଁ ନ ଥିଲେ।

ସମ୍ବନ୍ଧିତ ଖବର