ମନପସନ୍ଦର ଗୀତ ନ ବଜାଇବାରୁ ଡ଼ିଜେକୁ ଗୁଳି କଲେ ବରଯାତ୍ରୀ

ନୂଆଦିଲ୍ଲୀ : କିଛି ଦିନ ହେବ ଦେଶର ରାଜଧାନୀ ନୂଆଦିଲ୍ଲୀ ପାଲିଟିଛି ଅପରାଧର ରାଜଧାନୀ । ନିକଟରେ ଏକ ବିବାହ ସମାରୋହରେ ମନପସନ୍ଦର ଗୀତ ନ ବଜାଇବାରୁ ଡ଼ିଜେକୁ ଗୁଳି କରିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଡ଼ିଜେଙ୍କ ସ୍ୱସ୍ଥ୍ୟବସ୍ଥା ବର୍ତ୍ତମାନ ଠିକ୍‌ ରହିଥିବା ବେଳେ ସେ ବିବାହରେ ଉପସ୍ଥିତ ୫ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛନ୍ତି। ୫ ଜଣ ଅଭିଯୁକ୍ତକୁ ପୁଲିସ ବର୍ତ୍ତମାନ ଗିରଫ କରିଥିବା ବେଳେ ମାମଲା ସମ୍ବନ୍ଧୀୟ ତଦନ୍ତ ଚଳାଇଛି।
ପୁଲିସ ସୂଚନା ଅନୁଯାୟୀ , ଡ଼ିଜେ ବବି ସିଂ ଦିଲ୍ଳୀର ଏକ ବିବାହ ଉତ୍ସବକୁ ଗୀତ ବଜାଇବା ପାଇଁ ଯାଇଥିଲେ । ସେହି ସମୟରେ ସେଠାରେ ଉପସ୍ଥିତ ରବି(୨୩) , ସଚିନ(୧୯), ଦୀପକ(୨୯), ଯୋଗିନ୍ଦର(୨୭) ଏବଂ ଦୀପକଙ୍କ ମାତା ରହିଥିଲେ । ବିବାହ ଉତ୍ସବରେ ତାଙ୍କର ମନ ପସନ୍ଦ ଗୀତ ନ ବଜାଇବାରୁ ସେମାନେ କ୍ରୋଧରେ ଘଟଣାସ୍ଥଳରେ ହିଁ ବବିଙ୍କ ଉପରେ ଗୁଳି ଚାଳନା କରିଥିଲେ । ସେଠାରେ ଉପସ୍ଥିତ ଅନ୍ୟ ବ୍ୟକ୍ତି ବବିଙ୍କୁ ତୁରନ୍ତ ଡ଼ାକ୍ତରଖାନା ନେବାରୁ ତାଙ୍କର ଜୀବନ ବଞ୍ଚିଯାଇଥିଲା । ତେବେ ବବି ପୁଲିସରେ ହତ୍ୟା ମାମଲା ରୁଜୁ କରିଛନ୍ତି। ଏବେ ଅଭିଯୁକ୍ତମାନଙ୍କୁ ଜେରା କରାଯାଇଛି। ତାଙ୍କ ପାଖରୁ ଦୁଇଟି ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି।

ସମ୍ବନ୍ଧିତ ଖବର