ନୂଆଦିଲ୍ଲୀ: ଦୁର୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ମୁନ୍ନା ବଜରଙ୍ଗୀକୁ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ଜେଲ୍ ମଧ୍ୟରେ ଗୁଳି ମାରି ହତ୍ୟା କରାଯାଇଛି।
ଯେଉଁ ଦିନ ମୁନ୍ନା ବଜରଙ୍ଗୀକୁ ବାଗପତ ଅଦାଲତରେ ହାଜର କରାଯିବାକୁ ସ୍ଥିର କରାଯାଇଥିଲା ସେ ଦିନ ଏ ଘଟଣା ଘଟିଛି। ଭାରତୀୟ ଜନତା ପାର୍ଟିର ନେତା କୃଷ୍ଣାନନ୍ଦ ରାୟଙ୍କ ଆତତାୟୀ ମୁନ୍ନାକୁ ରବିବାର ଦିନ ଝାନ୍ସୀରୁ ବାଗପତ ସ୍ଥାନାନ୍ତର କରାଯାଇଥିଲା।
ଏ ଘଟନାରେ ପ୍ରତିକ୍ରିୟା ପ୍ରକାଶ କରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବିଚାର ବିଭାଗୀୟ ତଦନ୍ତାଦେଶ ଦେବା ସହ ଜେଲର୍ଙ୍କୁ ନିଲମ୍ବନ କରିବା ପାଇଁ ଆଦେଶ ଦେଇଛନ୍ତି। ସେ କହିଛନ୍ତି: ଜେଲ୍ ପରିଧି ମଧ୍ୟରେ ଏଭଳି ଘଟନା ଘଟିବା ସାଙ୍ଘାତିକ କଥା। ଆମେ ଗଭୀର ତଦନ୍ତ କରି ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।
ମୁନ୍ନା ବଜରଙ୍ଗୀଙ୍କ ଓକିଲ ଭି ଶ୍ରୀବାସ୍ତବ ନିଶ୍ଚିତ କରି କହିଛନ୍ତି ଯେ ଜେଲ୍ରେ ରହୁଥିବା ଜଣେ ଦୋଷୀ ସାବ୍ୟସ୍ତ ଗ୍ୟାଙ୍ଗଷ୍ଟର୍ ମୁନ୍ନାକୁ ଗୁଳି ମାରି ହତ୍ୟା କରିବା ପରେ ପିସ୍ତଲଟିକୁ ନାଳୁଆରେ ଲୁଚାଇ ଦେଇଥିଲା।
ଶନିବାର ରାତିରେ ତାକୁ ଝାନ୍ସୀ ଜେଲ୍ରୁ ବାଗପତରେ ଥିବା ଜିଲ୍ଲା ଜେଲ୍କୁ ଅଣାଯାଇଥିଲା। ଆଜି ସାଢ଼େ ଛଅଟା ବେଳେ ଜେଲ୍ରେ ଥିବା ଦୋଷୀ ତାକୁ ଗୁଳି କରିଥିଲା। ତା’ ଜୀବନ ପ୍ରତି ବିପଦ ରହିଛି ବୋଲି ଆମେ ଅଳ୍ପ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲୁ।
ମୁନ୍ନାର ପତ୍ନୀ ସୀମା ସିଂହ ଅଳ୍ପ କିଛି ଦିନ ତଳେ କହିଥିଲେ କି, ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ୍ ରହିଛି।
ମୁନ୍ନା ବଜରଙ୍ଗୀ ୧୯୬୭ ମସିହାରେ ଉତ୍ତର ପ୍ରଦେଶର ଜୌନପୁର ଠାରେ ଜନ୍ମ ଗ୍ରହଣ କରିଥିଲା। ତା’ର ପ୍ରକୃତ ନାଁ ଥିଲା ପ୍ରେମ ପ୍ରକାଶ ସିଂହ। ୫ମ ଶ୍ରେଣୀ ପରେ ସେ ପାଠ ଛାଡ଼ି ଦେଇଥିଲା। ଅସ୍ତ୍ରଶସ୍ତ୍ର ରଖିବାକୁ ସେ ସୁଖ ପାଉଥିଲା। ହିନ୍ଦୀ ସିନେମାରେ ଦେଖା ଯାଉଥିବା ଗ୍ୟାଙ୍ଗଷ୍ଟର୍ ପରି ହେବାକୁ ଚାହୁଁଥିଲା। ୧୭ ବର୍ଷ ହୋଇଥିଲା ବେଳେ ତା’ ବିରୋଧରେ ପ୍ରଥମ ଅପରାଧିକ ମାମଲା ରୁଜୁ କରାଯାଇଥିଲା।