ରାଜଧାନୀରେ ଚୋରା ସ୍କ୍ରାପ୍‌ ଚାଲାଣ

ବ୍ୟବସାୟୀ ଓ ଚାଳକ ଗିରଫ: ଅଢ଼େଇ ଟନ୍‌ ସ୍କ୍ରାପ୍‌ ସହ ଟ୍ରକ୍‌ ଜବତ

ଭୁବନେଶ୍ୱର: ରାଜଧାନୀରେ ଚୋରା ସ୍କ୍ରାପ୍‌ ବ୍ୟବସାୟ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିିସ ଜଣେ ସ୍କ୍ରାପ୍‌ ବ୍ୟବସାୟୀ ଓ ଗାଡ଼ି ଚାଳକକୁ ଗିରଫ କରିଛି। ସେମାନେ ହେଲେ ସ୍କ୍ରାପ ବ୍ୟବସାୟୀ ବାବାଜୀ ଜୟସିଂ ଓ ଗାଡ଼ି ଚାଳକ ସୁରେଶ ପାଣିଗ୍ରାହୀ। ବାବାଜୀର ଘର ସାଲିଆସାହି ଅଞ୍ଚଳରେ ହୋଇଥିବା ବେଳେ ସୁରେଶର ଘର ରସୁଲଗଡ଼ ବୋଲି ଜଣାପଡ଼ିଛି।

ପୁଲିସ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ବାବାଜୀ ପାଖାପାଖି ଅଢ଼େଇ ଟନ୍‌ ଓଜନର ସ୍କ୍ରାପ ଏକ ମିନି ଟ୍ରକ୍‌ରେ ଲଦି ରସୁଲଗଡ଼ ସ୍ଥିତ ଏକ ଗୋଦାମକୁ ପଠାଉଥିଲା। ତେବେ ଚୋରା ସ୍କ୍ରାପ୍‌ ଚାଲାଣ ହେଉଥିବା ନେଇ ନୂଆପଲ୍ଲୀ ଥାନା ପୁଲିସ ଖବର ପାଇଥିଲା। ଏହାପରେ ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ସ୍କ୍ରାପ ବୋଝେଇ ଟ୍ରକକୁ ଜବତ କରିଥିଲା। ସ୍କ୍ରାପ ବ୍ୟବସାୟ ନେଇ ପୁଲିସ ବାବାଜୀକୁ ଲାଇସେନ୍ସ ମାଗିଥିଲା। ହେଲେ ବାବାଜୀ କୌଣସି କାଗଜପତ୍ର ଦେଖାଇପାରି ନଥିଲା। ତେଣୁ ପୁଲିସ ସେଠାରୁ ଉଭୟ ଗାଡ଼ି ଚାକଳ ସୁରେଶ ଓ ବ୍ୟବସାୟୀ ବାବାଜୀକୁ ଗିରଫ କରି ଥାନାକୁ ଆଣିଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର