ଭାଗଲପୁର: ବିହାରର ଭାଗଲପୁର ଜିଲ୍ଲାରେ କନ୍ୟା ବିବାହ କରିବାକୁ ମନା କରିବା ସହିତ ପୁଲିସ ଡକାଇ ବରକୁ ଗିରଫ କରିବାର ଏକ ଘଟଣା ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ଏକ ଘଟଣା ବିହାରର ଭାଗଲପୁରର କହଲଗ୍ରାମର ଅକବରପୁର ଗ୍ରାମରେ ଘଟିଛି। ଏହି ଗ୍ରାମରେ ବସବାସ କରୁଥିବା ଯୋଗେନ୍ଦ୍ର ରଜକ ନିଜ ବଡ଼ ଝିଅ ଅନୁଷା କୁମାରୀଙ୍କ ବିବାହ ସୁଲତାନଗଞ୍ଜ ଥାନା ଅଞ୍ଚଳରେ ତିଲକପୁର ପେନ୍ ଗ୍ରାମରେ ବସବାସ କରୁଥିବା ରାଜକିଶୋର ରଜକଙ୍କ ପୁଅ ଉଦୟ ରଜକଙ୍କ ସହିତ ସ୍ଥିର କରିଥିଲେ।
କହଲଗ୍ରାମର ଥାନା ଅଧିକାରୀ ଇନ୍ଦ୍ରେଦେବ ପାସଓ୍ଵାନ୍ଙ୍କ କହିବାନୁସାରେ, ଶନିବାର ନିଶ୍ଚିତ ହୋଇଥିବା ସମୟ ଅନୁସାରେ ବିବାହ ହେବାର ଥିଲା। ବିଳମ୍ବିତ ରାତିରେ ବର ବରଯାତ୍ରୀ ନେଇ କନ୍ୟା ଘରେ ଆସି ପହଞ୍ଚିଥିଲା। ନାଚ ଓ ଗୀତକୁ ନେଇ ବର-ବଧୂଙ୍କ ଘର ଲୋକଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ସମୟରେ ବର ମଦ ପିଇଥିବା ଜଣାପଡ଼ିଥିଲା। କନ୍ୟାର ମାମୁଁଙ୍କୁ ବି ବର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। କନ୍ୟାଙ୍କୁ ଯେତେବେଳେ ଏହି ଘଟଣା ବିଷୟରେ ଜଣାପଡ଼ିଥିଲା ସେ ବିବାହ ଭାଙ୍ଗି ଦେବା ସହ ପୁଲିସକୁ ଡକାଇ ଘଟଣା ବିଷୟରେ ଜଣାଇଥିଲା।