ନୂଆପଲ୍ଲୀ ଅଞ୍ଚଳରେ ମଦ୍ୟପଙ୍କ ଉତ୍ପାତ, ଥାନାରେ ଏତଲା

ଭୁବନେଶ୍ୱର: ନୂଆପଲ୍ଲୀ ଅଞ୍ଚଳରେ ମଦ୍ୟପମାନଙ୍କ ଉତ୍ପାତ ସ୍ଥାନୀୟ ବାସିନ୍ଦାଙ୍କୁ ଅତିଷ୍ଠ କରିଛି। ଯୁବତୀ ଓ ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। ରାସ୍ତା ଉପରେ ବସି ମଦ୍ୟପାନ କରୁଛନ୍ତି। କେହି ପ୍ରତିବାଦ କଲେ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି। ଗତକାଲି ଏଭଳି ଏକ ଘଟଣା ଘଟିଛି। ବାଲେଶ୍ବରର ମାନସ ରଞ୍ଜନ ଚାନ୍ଦଙ୍କ କେୟାର ଟେକରଙ୍କୁ କେତେଜଣ ମଦ୍ୟପ ଆକ୍ରମଣ ଉଦ୍ୟମ କରିଛନ୍ତି। ନୂଆପଲ୍ଲୀରେ ଥିବା ତାଙ୍କ ଜାଗାର ପାଚେରି ଉପରେ ବସି ମଦ୍ୟପାନ କରୁଥିବା ବେଳେ କେୟାର ଟେକର ବାରଣ କରିବାରୁ ସେମାନେ ହତ୍ୟା ଧମକ ଦେଇଛନ୍ତି। ମାଲିକକୁ ତୁରନ୍ତ ଡାକିବାକୁ ସେମାନେ କେୟାର ଟେକରଙ୍କୁ କହିଛନ୍ତି। ମାଲିକ ନ ଆସିଲେ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ହେବାକୁ ଚେତାବନୀ ଦେଇଛନ୍ତି। ଏ ନେଇ ଶ୍ରୀ ଚାନ୍ଦ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ମଦ୍ୟପମାନଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଛି। ଅପରପକ୍ଷେ ଏହି ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର