ବେଆଇନ୍‌ ମହାସୁଲ ଆଦାୟ ଅଭିଯୋଗରେ ୨ ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର: ନକଲି ରସିଦ୍‌ ତିଆରି କରି ବେଆଇନ୍‌ ଭାବେ ଲିଙ୍ଗରାଜ ମନ୍ଦିର ଦାଣ୍ଡ ମହାସୁଲ ଆଦାୟ କରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଏୟାରଫିଲ୍‌ଡ ଥାନା ଅଧୀନ ଖଣ୍ଡୁଆଳ ବସ୍ତିର ମିଟୁ ବେହେରା(୨୫) ଓ ଗୁରୁପଦ ନାୟକ(୨୮)। ପୁଲିସ ସୂଚନା ଅନୁଯାୟୀ ସେମାନେ ବେଆଇନ୍‌ ଭାବେ ଦାଣ୍ଡ ମହାସୁଲ ଆଦାୟ କରୁଥିଲେ। ଏପରିକି ବାପୁଜୀ ନଗରର ଏକ ପ୍ରେସ୍‌ରେ ୨୦ହଜାର ବେନାମୀ ମହାସୁଲ ରସିଦ କରିବାକୁ ବରାଦ କରିଥିଲେ। ଖବର ପାଇ ସେବାୟତ ଦୀପୁନା ବଡ଼ୁ ଆଜି ସେମାନଙ୍କ ବିଷୟରେ ମନ୍ଦିର ପ୍ରଶାସନକୁ ଖବର ଦେଇଥିଲେ। ବ୍ରାହ୍ମଣ ନିଯୋଗର ସମ୍ପାଦକ ଘଟଣା ସ୍ଥଳରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ମନ୍ଦିର କାର୍ଯ୍ୟାଳୟକୁ ଅଣାଯାଇଥିଲା। ପରେ ଲିଙ୍ଗରାଜ ଥାନାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯିବା ସହ ୨ଜଣଙ୍କୁ ପୁଲିସ ଜିମା ଦିଆ ଯାଇଥିଲା। ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ବେଆଇନ୍‌ ରସିଦ୍‌ ଛପା ନେଇ ଯାଞ୍ଚ ଚାଲିଛି ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର