ଆଇଏଏସ୍‌ ଦମ୍ପତିଙ୍କ କଳା କାରନାମା ଉପରୁ ପରଦା ହଟାଇଲା ଇଡି; ୩୧୫୧.୩୨ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ

ଭୋପାଲ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶନିବାର ମଧ୍ୟପ୍ରଦେଶର ଆଇଏଏସ୍‌ ଦମ୍ପତି ଅରବିନ୍ଦ ଓ ଟିନୁ ଜୋଶୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ମାମଲା ରୁଜୁ କରିଛି। ଆଇଏଏସ୍‌ ଦମ୍ପତି ଓ ତାଙ୍କ ପରିବାର ସମେତ ଅନ୍ୟ କିଛି ଲୋକଙ୍କ ବିରୋଧରେ ଏଜେନ୍ସି ପକ୍ଷରୁ ୧୫ ହଜାର ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ମଧ୍ୟପ୍ରଦେଶ ପୁଲିସ୍‌ ଦମ୍ପତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ପରେ ଇଡି ଏହି ଦାୟିତ୍ୱ ନିଜ ହାତକୁ ନେଇଥିଲା। ଅଭିଯୋଗ ଆସିଛି ଯେ ସେମାନେ ନିଜ ଆୟରୁ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି। ଦମ୍ପତ୍ତିଙ୍କ ସମୁଦାୟ ଆୟ ୪୧ କୋଟି ୮୭ ଲକ୍ଷ ୩୫ ହଜାର ୮୨୧ ଟଙ୍କା ଥିବା ବେଳେ ସେମାନେ ୩୧୫୧.୩୨ ପ୍ରତିଶତ ଟଙ୍କାର  ଅଧିକ ସଂପତ୍ତି ଠୁଳ କରିଛନ୍ତି।

ଇଡି ପ୍ରଥମେ ପିଏମ୍‌ଏଲ୍‌ ଅାଇନ ଜରିଆରେ ଦମ୍ପତିଙ୍କର ୭.୧୧ କୋଟିର ସମ୍ପତ୍ତି ଜବତ କରିଥିଲା। ପରେ ଇଡି ପକ୍ଷରୁ ଖୁଲାସା କରାଯାଇଛି ଯେ ଏହି ଦମ୍ପତି ପ୍ରାୟ ୭.୧୧ କୋଟି କଳାଧନକୁ ଧଳା କରିଛନ୍ତି। ଜବତ ହୋଇଥିବା ଅର୍ଥ ମଧ୍ୟରୁ ୩ କୋଟି ୩ ଲକ୍ଷ ୨୦ ହଜାର ୩୫୦ ଟଙ୍କା ନଗଦ, ୩ କୋଟି ୨୧ ଲକ୍ଷ ୫୮ ହଜାର ୯୭୫ ଟଙ୍କାର ବୀମା ଓ ୮୫.୭୨ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।

ସମୁଦାୟ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ଆଇଏଏସ୍‌ ଦମ୍ପତି, ସେମାନଙ୍କର ୩ ନିକଟ ସଂପର୍କୀୟ ଓ ସହଯୋଗୀ ସାମିଲ୍‌ ଅଛନ୍ତି। ଏହି ଆଇଏସ୍‌ ଦମ୍ପତି ଅତ୍ୟନ୍ତ ଚତୁରତାର ସହ ନିଜ ବ୍ୟତୀତ ନିଜ ପରିବାର ସମସ୍ୟଙ୍କ ନାମରେ ମଧ୍ୟ ବୀମା କରିଛନ୍ତି। ପରିବାର ସଦସ୍ୟଙ୍କ ନାମରେ ୩ କୋଟି ୨୧ ଲକ୍ଷ ୫୮ ହଜାର ୯୭୫ ଟଙ୍କାର ବୀମା ରହିଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ୨୦୧୦ ମସିହାରେ ଆଇଏଏସ୍‌ ଅରବିନ୍ଦ ଓ ଟିନୁ ଜୋଶୀଙ୍କୁ ଘରୁ ନଗଦ ୩ ଲକ୍ଷ ୨୦ ହଜାର ୩୫୦ ଟଙ୍କା ମିଳିଥିଲା। ସେ ସମୟରେ ସେମାନେ ଏଜେନ୍ସିକୁ ସନ୍ତୋଷଜନକ ଉତ୍ତର ଦେଇନଥିଲେ।

ସମ୍ବନ୍ଧିତ ଖବର