କମେଣ୍ଟ ମାରି ଇଂଜିନିୟରିଂ ଛାତ୍ର ଗିରଫ

ଖଣ୍ଡଗିରି: ନିଜ କଲେଜର ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରି ହଇରାଣ କରୁଥିବା ଅଭିଯୋଗରେ ଶନିବାର ଯାଁଳା ଫାଣ୍ଡି ପୁଲିସ ଜଣେ ଇଂଜିନିୟରିଂ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ବଡ଼ରଘୁନାଥପୁରସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜର ଚତୁର୍ଥ ବାର୍ଷିକ କମ୍ପ୍ୟୁଟର୍‌ ସାଇନ୍‌ସ ଛାତ୍ର ଅକ୍ଲାନ୍ତ ଦାସ(୨୦)। ପୁଲିସ ସୂଚନାନୁସାରେ ଅକ୍ଲାନ୍ତ ସେହି କଲେଜର ଦ୍ୱିତୀୟ ବାର୍ଷିକ ଛାତ୍ରୀ ମିତାଲି(ଛଦ୍ମନାମ)ଙ୍କୁ ଏକତରଫା ଭଲ ପାଇ ବସିଥିଲେ। କିନ୍ତୁ ମିତାଲି ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅକ୍ଲାନ୍ତ ମିତାଲିଙ୍କୁ ବାଟରେ ଘାଟରେ ଏମିତିକି କଲେଜ କ୍ୟାଣ୍ଟିନ୍‌ରେ ପିଛା କରି କରି କମେଣ୍ଟ କରି ଚାଲିଥିଲେ। ତାଙ୍କର ଏଭଳି ଆଚରଣରେ ଅତିଷ୍ଠ ହୋଇ ମିତାଲି ଏହି ମାମଲାକୁ କଲେଜ କର୍ତୃପକ୍ଷଙ୍କ ଦୃଷ୍ଟିକୁ ନେଇଥିଲେ। କିନ୍ତୁ ଏହି ଅଭିଯୋଗ ପରେ ବି କିଛି ଫରକ୍‌ ପଡ଼ି ନଥିଲା। ବରଂ ଅକ୍ଲାନ୍ତ ଅଧିକ ମାତ୍ରାରେ ମିତାଲିଙ୍କୁ କମେଣ୍ଟ କରି ଚାଲିଲେ। ଗତ ୫ ତାରିଖ ଦିନ ଅକ୍ଲାନ୍ତଙ୍କ ହରକତ ସୀମା ଟପି ଯାଇଥିଲା ଓ ବହୁ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ସେ ମିତାଲିଙ୍କୁ ସିଧାସଳଖ ଆକ୍ଷେପ କରି କମେଣ୍ଟ କରିଥିଲେ। ତେଣୁ ମିତାଲି ଏ ନେଇ ତାଙ୍କ ବାପାଙ୍କୁ ଜଣାଇବା ସହ ତାଙ୍କ ଯାଁଳା ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ତଦନ୍ତରୁ ଅକ୍ଲାନ୍ତଙ୍କୁ ବିରୋଧରେ ପ୍ରମାଣ ପାଇବା ପରେ ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର