ପତ୍ନୀଙ୍କୁ ମାରି ସାତଖଣ୍ଡ କରିଥିବା ଇଞ୍ଜିନିୟର୍‌ଙ୍କୁ କାଗଜ ପେଟି ଦ୍ୱାରା ଧରିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ସରିତା ବିହାର ଠାରେ ଏକ ଦାମ୍ପତ୍ୟ କଳହ ଜଘନ୍ୟ ଅପରାଧରେ ପାଲଟିଛି। ସ୍ଥାୟୀ ଚାକିରିଟିଏ ନାହିଁ ବୋଲି ସବୁବେଳେ ପତ୍ନୀଙ୍କ ଅପମାନଜନକ କଥା ଓ ଯୁକ୍ତିରେ ଅସ୍ଥିର ହୋଇ ଜଣେ ଲୋକ ତାଙ୍କ ପତ୍ନୀଙ୍କ ତଣ୍ଟିଚିପି ମାରିବା ପରେ ଶବକୁ ଖଣ୍ଡବିଖଣ୍ଡ କରି ପକାଇଛନ୍ତି।

ଦକ୍ଷିଣ ପୂର୍ବ ଦିଲ୍ଲୀର ସରିତା ବିହାରରୁ ଦିଲ୍ଲୀ ପୁଲିସ କାଗଜପେଟିରେ ପଶିଥିବା ଜଣେ ମହିଳାଙ୍କର ବିଖଣ୍ଡିତ ଶବ ପାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଜୁନ୍‌ ୨୧ ତାରିଖ ଦିନ ଜାମିଆ ଅଞ୍ଚଳର ହାଜି କଲୋନିରେ ଖାଲି ପଡ଼ିଥିବା ଏକ ପ୍ଲଟ୍‌ରେ ସ୍ଥାନୀୟ ଲୋକେ ଶବଟିକୁ ଦେଖି ପୁଲିସରେ ଖବର ଦେଇଥିଲେ।

ଶବ ଉଦ୍ଧାର ପରେ ମୃତା ମହିଳାଙ୍କ ପରିଚୟ ଜାଣିବାକୁ ପୁଲିସ କେତେଗୁଡ଼ିଏ ଟିମ୍‌ ଗଠନ କରିଥିଲା। ପୁଲିସ କହିବାନୁସାରେ, ଶବଟିକୁ ୭ ଖଣ୍ଡ କରାଯାଇଥିଲା।

ଅନେକ ଚେଷ୍ଟା ସତ୍ତ୍ୱେ ମହିଳାଙ୍କ ପରିଚୟ ପାଇବାରେ ପୁଲିସ ଅସଫଳ ହେବା ପରେ କାଗଜପେଟିରୁ ହିଁ ଖିଅ ମିଳିଥିଲା। ତାହା ହେଉଛି ପେଟିରେ ମୁଦ୍ରଣ ହୋଇ ଥିବା ଠିକଣା।

ତାହା ଥିଲା ଗୁରୁଗ୍ରାମସ୍ଥିତ ଏକ ଘରୋଇ ମୁଭର୍ସ ଆଣ୍ଡ୍‌ ପ୍ୟାକର୍ସ ଫାର୍ମର ଠିକଣା। ସେ ପେଟି ତାଙ୍କର ବୋଲି ଫାର୍ମର ପରିଚାଳକମାନେ ନିଶ୍ଚିତ କଲେ। ପରେ ଜଣାପଡ଼ିଲା ଜାବେଦ୍‌ ଅଖ୍‌ତାର ନାମକ ଜଣେ ବ୍ୟକ୍ତି ସଂଯୁକ୍ତ ଆରବ ଏମିରେଟ୍‌ରୁ ଏହି ପେଟି ମଗାଇ ଥିଲେ।

କମ୍ପାନି ଅଖତାରଙ୍କ ଠିକଣା ଦେଲେ। ଅଖ୍‌ତାର ମଧ୍ୟ ମାନିଲେ ଯେ ପେଟିଗୁଡ଼ିକ ସେ ସଂଯୁକ୍ତ ଆରବ ଏମିରେଟ୍‌ରୁ ବରାଦ ଦେଇ ଅଣାଇଥିଲେ। ସେଥିରୁ କେତେକ ଲୋକଙ୍କ ଘରେ ବ୍ୟବହାର ପାଇଁ ଦିଆଯାଇଥିଲା।

ଦିଲ୍ଲୀର ଶାହୀନ ବାଗ ଠାରେ ସେମିତିକା ପେଟିଟିଏ ଗୋଟାଏ ଘରେ ଥିବାର ପୁଲିସ ଜାଣିବାକୁ ପାଇଲା। ଅଖତାର ପୁଲିସକୁ କହିଲେ ଯେ ସାଜିଦ ଅଲି ଅନସାରୀ ନାମକ ଜଣେ ଭଡ଼ାଟିଆ ସେ ଘରେ ରହୁଥିଲେ।

ପୁଲିସ ସାଜିଦ୍‌ଙ୍କୁ ଖୋଜିବା ବେଳେ ପଡ଼ୋଶୀମାନେ କହିଲେ ସେ କିଛି ଦିନ ହେବ ଘରଛାଡ଼ି ପଳାଇଛନ୍ତି।

ସୋମବାର ଦିନ ସାଜିଦଙ୍କୁ ଅଟକ ରଖି ପଚରା ଉଚୁରା କରିବାକୁ ଅଣାଗଲା। ସେଥିରୁ ପୁଲିସ ଜାଣିଲା ସେ ମହିଳାଙ୍କ ନାମ ଜୁହି। ତାଙ୍କୁ ସାଜିଦ ୨୦୧୧ ମସିହାରେ ବାହା ହୋଇଥିଲେ। ହରିୟାନାର କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟରୁ ସାଜିଦ ଇଞ୍ଜିନିୟରିଙ୍ଗ୍‌ ପଢ଼ିଥିଲେ।

ଦମ୍ପତି ବିହାରରୁ ଆସି ଦିଲ୍ଲୀରେ ରହୁଥିଲେ। ସାଜିଦଙ୍କ ଅସ୍ଥାୟୀ ଚାକିରି ଯୋଗୁଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା। ୨୦ ଓ ୨୧ ତାରିଖ ଦିନ ଉଭୟଙ୍କ ମଧ୍ୟରେ ଭୀଷଣ ଯୁକ୍ତିତର୍କ ହେବା ପରେ ସାଜିଦ ଜୁହିଙ୍କ ଗଳାଚିପି ତାଙ୍କୁ ହତ୍ୟା କରିଥିଲେ।

ଚାପଡ଼ରେ ଶବକୁ ବିଖଣ୍ଡିତ କରି ଖାଲି ପ୍ଲଟ୍‌ରେ ଫିଙ୍ଗିବା ନିମନ୍ତେ ସହାୟତା କରିବାକୁ ଅଭିଯୁକ୍ତ ନିଜର ଦୁଇ ଭାଇଙ୍କୁ ଡକାଇଥିଲେ।

ସମ୍ବନ୍ଧିତ ଖବର