ଏହି ବ୍ୟକ୍ତି ନିଜକୁ ଇଞ୍ଜିନିୟର, ଜଜ ଓ ଆଇଏଏସ୍‌ ଅଫିସର କହି ଲୋକଙ୍କଠାରୁ ଠକି ନେଇଛି ଲକ୍ଷାଧିକ ଟଙ୍କା

ଗୁରଗ୍ରାମ: ଗୁରଗ୍ରାମ ପୁଲିସ ଜଣେ ନକଲି ଜଜଙ୍କୁ ଗିରଫ କରି ଏକ ବଡ଼ ଖୁଲାସା କରିଛି। ୩୦ରୁ ୪୦ଲୋକଙ୍କୁ ନିଜ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା ଏହି ନକଲି ଜଜ। ଏହି ନକଲି ଜଜ ହାଇପ୍ରୋଫାଇଲ ସୋସାଇଟିରେ ରହି ଲୋକଙ୍କୁ ଠକୁଥିବା ପୁଲିସ ପକ୍ଷରୁ ପ୍ରକାଶ।

ପୁଲିସ ସୂତ୍ରରୁ ପ୍ରକାଶ, ଗୁରଗ୍ରାମର ସେଫିଲଡ ଗାର୍ଡନ୍‌ ସେକ୍ଟର-୫୧ରେ ରହୁଥିବା ନକଲି ଜଜ କେଦାରନାଥ ସାଗର ଶର୍ମା ମୂଳ ଭାବେ ଇନ୍ଦିରା ନଗର କଲୋନୀ, ବରାସିଗୁଢ଼ା ସିକନ୍ଦରାବାଦ, ହାଇଦ୍ରାବାଦରେ ରୁହେ। ସେ ନିଜକୁ ତେଲେଙ୍ଗାନାର ସିଭିଲ କୋର୍ଟର ଜଜ କହି ଲୋକଙ୍କୁ ନିଜ ଜାଲରେ ଫସାଉଥିଲା। ପଚରାଉଚରା ସମୟରେ ଏହି ବ୍ୟକ୍ତି ସହ ଜଣେ ମହିଳା ବି ସାମିଲ ଥିବା ଜଣାପଡ଼ିଛି। ଏହି ମହିଳାଙ୍କୁ ଏଯାବତ୍‌ ଗିରଫ କରାଯାଇ ନାହିଁ। କେଦାରନାଥ ଏହି ମହିଳାଙ୍କୁ ନିଜର ପତ୍ନୀ କହୁଥିବା ବେଳେ ପରେ ସାଙ୍ଗ ବୋଲି ପରିଚୟ ଦେଇଥିଲା।

କେଦାରନାଥ ଗୁରୁଗ୍ରାମରେ ରହି ଲୋକଙ୍କୁ ଚାକିରି ଦେବା କହି ଟଙ୍କା ଠକି ନେଉଥିଲା। ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪ରୁ ୫ଲକ୍ଷ ଟଙ୍କାର ଚାକିରି ଦେବା ପାଇଁ ଆଶ୍ୱସନା ଦେଇଥିଲା। କେବଳ ଏତିକି ନୁହେଁ ସେ କୋଠା ଦେବା କହି ବି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଲୋକମାନଙ୍କୁ ଯେପରି କୌଣସି ସନ୍ଦେହ ନହୁଏ ତେଣୁ ସେ ନିଜକୁ ଜଜ ବୋଲି କହୁଥିଲେ।

ଅଭିଯୁକ୍ତର ପର୍ଦ୍ଦଫାସ୍‌ ସେତେବେଳେ ହେଲା ସେତେବେଳେ ସେକ୍ଟର-୧୪ରେ ବତରା କାର କେୟାର ସଞ୍ଚାଳକ ପୁଲିସ ନିକଟରେ ଅଭିଯୋଗ କରି କହିଥିଲେ, ଜଣେ ଜଜ ତାଙ୍କୁ ସେକ୍ଟର-୧୦୨ରେ ଇଡବ୍ଳ୍ୟୁଏସ୍‌ ଫ୍ଲାଟ ଦେବା ନାମରେ ୪ଲକ୍ଷ ଟଙ୍କା ନେଇଥିଲା। ସେ ନିଜକୁ ତେଲେଙ୍ଗାନା ରାଜ୍ୟର ବରିଷ୍ଟ ବିଚାରପତି ପଦବୀରେ ଥିବା କଥା କହିଥିଲେ।

ଅଭିଯୋଗକାରୀଙ୍କ କହିବାନୁସାରେ, ଏଯାବତ୍‌ ନା ତାଙ୍କୁ ଟଙ୍କା ନା କୋଠା କିଛି ମିଳିଲା ନାହିଁ। ପଚରାଉଚରା ସମୟରେ ଅଭିଯୁକ୍ତ କହିଛି, ସେ ନିଜକୁ ଜଜ କହି ଲୋକମାନଙ୍କଠାରୁ ଟଙ୍କା ଠକି କି ନେଇଥାଏ। ପାାଖପାଖି ୬ମାସ ହେବ ସେ ଗୁରଗ୍ରାମ ସେକ୍ଟର-୧୦୨ର ହେରିଟେଜ ମ୍ୟାକ୍ସ ସୋସାଇଟିର ଫ୍ଲାଟ ନମ୍ବର -ଡି ୧୮୦୧ରେ ରହୁଥିଲା। ଏହା ପୂର୍ବରୁ ସେ ଜଣେ ମହିଳାଙ୍କୁ ତାଙ୍କ ଭାଇକୁ ନେଭିରେ ଚାକିରି ଦେବା କହି କେତେ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ହାଇଦ୍ରାବାଦର ନାମୀ ସଂସ୍ଥାରୁ ସେ ବିଟେକ୍‌ରେ ଡିଗ୍ରି ଲାଭ କରିବା ସହିତ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ସେ ଅନେକ କମ୍ପାନିରେ ଚାକିରି ମଧ୍ୟ କରିଥିଲା।

ପୁଲିସ ଅଭିଯୁକ୍ତ କେଦାରନାଥକୁ ୬ଦିନ ପାଇଁ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର