ଅଡୁଆରେ ପଡ଼ିଲେ କୁକୁରକୁ ଗୁଳି କରି ମାରିଥିବା ପୂର୍ବତନ ସୈନିକ
ପଟିଆଲା: ଜଣେ ପୂର୍ବତନ ସୈନିକ ଏବଂ ତାଙ୍କ ପଡ଼ୋଶୀଙ୍କ ବିରୋଧରେ ପଞ୍ଜାବ ପୁଲିସ ଏକ ମାମଲା ରୁଜୁ କରିଛି। ବର୍ଣ୍ଣାଲା ଜିଲ୍ଲା ଅନ୍ତର୍ଗତ ବଡ଼ବର ଗାଁ’ରେ ଏମାନେ ଦୁଇଟି ରାଇଫଲ୍ ଯୋଗେ ଗୋଟିଏ ବନ୍ଧା ଯାଇଥିବା କୁକୁରକୁ ଗୁଳି ମାରି ହତ୍ୟା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବତନ ସୈନିକଙ୍କ ପୁଅ ରେକର୍ଡ କରିଥିବା ହତ୍ୟା ଦୃଶ୍ୟର ଭିଡିଓ ଭାଇରାଲ୍ ହେବା ପରେ ଜୀବ ଅଧିକାର କର୍ମୀମାନଙ୍କ ହସ୍ତକ୍ଷେପ ଯୋଗୁଁ ଏଫ୍ଆଇଆର୍ ଦରଜ କରା ଯାଇଥିଲା। କ୍ଲିପ୍ରେ ଦେଖା ଯାଉଛି ଯେ ପୂର୍ବତନ ପ୍ରତିରକ୍ଷା ବିଭାଗ ସୈନିକ ଅଜିତ ସିଂହ ଏବଂ ତାଙ୍କ ପଡ଼ୋଶୀ ସତବୀର ସିଂହ ଚେନ୍ରେ ବନ୍ଧା ହୋଇଥିବା ଏକ ପିଟ୍ବୁଲ୍ କୁକୁରକୁ ଦୁଇଟି ଗୁଳି ମାରି ହତ୍ୟା କରୁଛନ୍ତି।
ସର୍ବସାଧାରଣଙ୍କ ସାମ୍ନାରେ କୁକୁରଟିକୁ ହତ୍ୟା କରା ଯାଇଥିଲା। ସେ ବାଟ ଦେଇ କେତେ ଜଣ ଛାତ୍ର ଯାଉଥିବା କ୍ଲିପ୍ରେ ଦେଖା ଯାଉଛି। କୁକୁରଟିକୁ ପରିହାସ କରି ଜଣେ ସ୍ଥାନୀୟ ଗାଳିଫଜିତ୍ କରୁଥିବା କଥା ଭିଡିଓରେ ଶୁଭୁଛି। ଜୀବ ଅଧିକାର କର୍ମୀ ପୁନୀତ ବଙ୍ଗା କହନ୍ତି, ଅଜିତ ଏବଂ ସତବୀର ଜୀବଟିକୁ ଗୁଳି ମାରିଲେ। ଗ୍ରାମବାସୀଙ୍କ ନିଷ୍ଠୁରତା ମଧ୍ୟ ସେ ଭିଡିଓକୁ ଆହୁରି ଲୋମହର୍ଷକ କରି ପକାଇଛି।
ଏହି ମାମଲାରେ ହସ୍ତକ୍ଷେପ ଲୋଡ଼ି ଜୀବ ଅଧିକାର କର୍ମୀମାନେ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ଏକ ପତ୍ର ଲେଖିଛନ୍ତି। ପଞ୍ଜାବ ଡିଜିପି ଏବଂ ଭାରତର ଜୀବ ମଙ୍ଗଳ ବୋର୍ଡଙ୍କୁ ମଧ୍ୟ ସେମାନେ ଲେଖିଥିଲେ। ଏହା ପରେ ଯାଇ ଏଫ୍ଆଇଆର୍ ପଞ୍ଜିକରଣ କରାଯାଇଥିଲା।
ନିଜକୁ ରକ୍ଷା କରିବାକୁ ସତବୀର କହିଛନ୍ତି ଯେ କୁକୁରଟି ଜଳାତଙ୍କ ଆକ୍ରାନ୍ତ ହୋଇପଡ଼ିଥିଲା। ସେ ତହିଁ ପୂର୍ବ ଦିନ ଯୋଡ଼ାଏ ମଇଁଷିଙ୍କୁ କାମୁଡ଼ି ଦେଇ ଥିଲା। ଅନେକ ବାସିନ୍ଦାଙ୍କୁ ମଧ୍ୟ କୁକୁରଟି କାମୁଡ଼ି ଥିଲା। ତେଣୁ ସେମାନେ ତାକୁ ଅଜିତ୍ଙ୍କ ରାଇଫଲ୍ରେ ମାରିବାକୁ ଚାହିଁଲେ। ବିନା ଡାକ୍ତରୀ ପରାମର୍ଶ ଏବଂ ଜୀବ ମଙ୍ଗଳ ସମାଜର କୌଣସି ପ୍ରତିନିଧିଙ୍କ ଅନୁପସ୍ଥିତିରେ ଦୁହେଁ କୁକୁରଟିକୁ ଗୁଳି ମାରିଥିବା କଥା ପୁଲିସ ଶୁଣିବାକୁ ପାଇଛି।