ପରୀକ୍ଷା କେନ୍ଦ୍ରରୁ ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟି ପରୀକ୍ଷାର୍ଥୀ ଗିରଫ

ବାଲିଅନ୍ତା: ପରୀକ୍ଷାକେନ୍ଦ୍ରରୁ ୩ଟି ମୋବାଇଲ ଫୋନ୍‌ ଓ ଟଙ୍କା ଲୁଟି ନେବା ମାମଲାରରେ ଆଜି ଜଣେ ପରୀକ୍ଷାର୍ଥୀଙ୍କୁ ପାହାଳ ଫାଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ପରୀକ୍ଷାର୍ଥୀ ହେଲେ ଯାଜପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଦେବୀଦ୍ୱାର ଅଞ୍ଚଳର ଅସିତ୍‌ ପତି (୨୬)। ପୁଲିସ ଅସିତ୍‌ ନିକଟରୁ ଚୋରି ହୋଇଥିବା ମୋବାଇଲ୍‌ ଫୋନ୍‌ ସହିତ ନଗଦ ୧୫ ଶହ ଟଙ୍କା, ଏଟିଏମ୍‌ କାର୍ଡ ଓ ବିଭିନ୍ନ ସାର୍ଟିଫିକେଟ୍‌ ମଧ୍ୟ ଜବତ କରିଛି। ପରୀକ୍ଷା ଦେବାକୁ ଆସିଥିବା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାରଙ୍ଗପୁର ଗ୍ରାମର ଅନ୍ୟ ଜଣେ ପରୀକ୍ଷାର୍ଥୀ କିରଣବାଳା ସାହୁ ବାଲିଅନ୍ତା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। କିରଣଙ୍କ ଅଭିଯୋଗକୁ ଆଧାର କରି ପୁଲିସ ପରୀକ୍ଷାକେନ୍ଦ୍ରର ସିସି କ୍ୟାମେର ଫୁଟେଜ୍‌କୁ ଯାଞ୍ଚ କରି ଅସିତକୁ ଚିହ୍ନଟ କରିଥିଲା। ମଙ୍ଗଳବାର ବାଲିଅନ୍ତା ଥାନା ଅଧିକାରୀ ସୁଜିତ୍‌ କୁମାର ଦାସଙ୍କ ନେତୃତ୍ୱରେ ପାହାଳ ଫାଣ୍ଡି ପୁଲିସ ଯାଜପୁରରେ ଅସିତ୍‌ର ଘରେ ଚଢ଼ଉ କରି ତାକୁ କାବୁ କରିଥିଲେ। ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତିଙ୍କ କହିବାନୁଯାୟୀ ଗତ ରବିବାର ପୂର୍ବାହ୍ନ ୧୦ଟାରେ ଅନନ୍ତପୁରସ୍ଥିତ ଏକ ଇଂଜିନିୟରିଂ କଲେଜରେ ଚାକିରି ପରୀକ୍ଷାର୍ଥୀମାନେ ଆସିଥିଲେ। ପରୀକ୍ଷାର୍ଥୀମାନେ କେନ୍ଦ୍ର ବାହାରେ ବ୍ୟାଗ ରଖି ପରୀକ୍ଷା ଦେଇଥିଲେ। ହେଲେ ପରୀକ୍ଷା ସରିବା କ୍ଷଣି ଅସିତ୍‌ ଆଗରେ ଆସି କିରଣଙ୍କ ଭ୍ୟାନିଟ୍‌ ବ୍ୟାଗ୍‌ ଲୁଟି ନେଇ ପଳାଇଥିଲେ। ଅଭିଯୋଗ ପାଇ ସିସିଟିଭି ଯାଞ୍ଚ କରିବାରୁ ଅସିତ୍‌ ହିଁ ତାଙ୍କ ବ୍ୟାଗ୍‌ ଲୁଟି ନେଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଜାମିନ ନାମଂଜୁର ହେବାରୁ ଅସିତକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର