ଆଇଏଏସ୍‌ ଅଫିସର ବିବାହ ପାଇଁ ଯୌତୁକ ମାଗିଲେ ୪ କୋଟି ଟଙ୍କା, ତା’ପରେ ପଦାକୁ ଆସିଲା ଅସଲ କଥା…

ଆଗ୍ରା : ଯୌତୁକ ନେବା ବା ଦେବାକୁ ଅପରାଧ ବୋଲି ଘୋଷଣା କରାଯାଇଥିବା ବେଳେ ଦେଶରେ ଅନେକ ସ୍ଥାନରେ ଏଭଳି ପ୍ରଥା ଚାଲୁ ରହିଛି । ଖାସ୍‌ କରି ଶିକ୍ଷିତ ଲୋକମାନେ ଅଧିକ ଯୌତୁକ ଦାବି କରୁଥିବା ଦେଖିବାକୁ ମିଳୁଛି । ମାସକୁ ମାସ ମୋଟା ଅଙ୍କର ଦରମା ପାଇ ମଧ୍ୟ ଯୌତୁକରେ କୋଟି କୋଟି ଟଙ୍କା ଦାବି କରୁଛନ୍ତି ବରପକ୍ଷ । ସେଭଳି ଏକ ଘଟଣା ଘଟିଛି ଆଗ୍ରାରେ । ଆଗ୍ରାର ଜଣେ ଯୁବକ ମ୍ୟାଟ୍ରିମୋନିଆଲ ସାଇଟ୍‌ରେ ନିଜକୁ ଜଣେ ଆଇଏଏସ୍‌ ଅଫିସର ବୋଲି ଦର୍ଶାଇବା ସହ ଏକ ନକଲି ପ୍ରୋଫାଇଲ ତିଆରି କରିଥିଲେ, ଯାହା ଏବେ ତାଙ୍କୁ ମହଙ୍ଗା ପଡ଼ିଛି । ନିଜକୁ ଆଇଏଏସ୍‌ ଅଫିସର କହିବା ସହ ଯୌତୁକରେ କନ୍ୟାପକ୍ଷକୁ ୪କୋଟି ଟଙ୍କା ମାଗିବା ଅଭିଯୋଗରେ ପୁଲିସ ରବିବାର ଅଭିଯୁକ୍ତ ନକଲି ଆଇଏଏସ୍‌ ଅଫିସରକୁ ଗିରଫ କରିଥିବା ଜଣା ପଡ଼ିଛି । ଅଭିଯୁକ୍ତ ବର ସମେତ ତାଙ୍କ ବାପା,ଦାଦା ଏବଂ ଗାଡ଼ି ଚାଳକଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି ।

 

ସୂଚନା ମୁତାବକ,ଗଣେଶ ନଗର ନିବାସୀ ଦୀପେନ୍ଦ୍ର ସିଂ ନିଜ ଝିଅର ବିବାହ ପାଇଁ ଅନ୍‌ଲାଇନ୍‌ ବର ଖୋଜିଥିଲେ । ଅନେକ ଗୁଡ଼ିଏ ପ୍ରୋଫାଇଲ ଚେକ୍‌ କରିବା ପରେ ସେ ଗାଜିପୁରରେ ରହୁଥିବା ଶିବଗୋବିନ୍ଦଙ୍କ ପୁଅ ମଞ୍ଜିତ୍‌ ରାଜଙ୍କ ସହ ନିଜ ଝିଅର ବିବାହ ଠିକ୍‌ କରିଥିଲେ । ମଞ୍ଜିତ୍‌ଙ୍କ ସହ ବିବାହ ବିଷୟରେ କଥା ହେବା ପରେ ସେ ଜଣେ ଆଇଏଏସ୍‌ ଅଫିସର ଏବଂ ଦିଲ୍ଲୀରେ ଓଏସ୍‌ଡ଼ି ପୋଷ୍ଟରେ ଥିବା ଜଣାଇଥିଲେ । ଝିଅ ଦେଖିବାକୁ ଆସିଥିବା ବେଳେ ସେ ମଞ୍ଜିତ୍‌ ୪ କୋଟି ଟଙ୍କା ଯୌତୁକ ନେବା ପାଇଁ ଚାହାନ୍ତି ବୋଲି କହିଥିଲେ । ଏହି କଥା ଶୁଣିବା ପରେ ଦୀପେନ୍ଦ୍ର ସିଂଙ୍କ ସନ୍ଦେହ ଆରମ୍ଭ ହୋଇଥିଲା । ଲଗାତାର କଥା ହେବା ପରେ ମଞ୍ଜିତ୍‌ ଜଣେ ଆଇଏଏସ୍‌ ଅଫିସର ନୁହଁ ବୋଲି ସେ ସନ୍ଦେହ କରିବା ଆରମ୍ଭ କରିଥିଲେ । ନିର୍ବନ୍ଧ ପୂର୍ବରୁ ୪ଲକ୍ଷ ଟଙ୍କା ଏବଂ ସୁନା ଗହଣା ମାଗିବା ପରେ ଦୀପେନ୍ଦ୍ରଙ୍କ ସନ୍ଦେହ ଆହୁରୀ ଘନିଭୁତ ହୋଇଥିଲା । ରବିବାର ନିର୍ବନ୍ଧ ଥିବା ବେଳେ ଦୀପେନ୍ଦ୍ର ସତ ଜାଣିବା ପାଇଁ ପୁଲିସକୁ ଖବର ଦେଇଥିଲେ । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଁଞ୍ଚିବା ସହ ମଞ୍ଜିତ୍‌ ଏବଂ ତାଙ୍କ ପରିବାର ଲୋକଙ୍କୁ ଟଙ୍କା ଓ ସୁନାଗହଣା ସହ ଗିରଫ କରିଥିଲା । ଗିରଫ କରି ପଚରାଉଚରା କରିବା ପରେ ମଞ୍ଜିତ୍‌ଙ୍କ ସତ ବାହାରକୁ ଆସିଥିଲା । ପୂର୍ବରୁ ଅନେକ ଅପରାଧରେ ମଞ୍ଜିତ୍‌ ଜେଲ ମଧ୍ୟ ଯାଇ ସାରିଥିବା ତଦନ୍ତରୁ ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର