ରେଳବାଇ ଚାକିରି ନାଁରେ ଠକେଇ : ୩ ଜଣଙ୍କୁ ଗିରଫ କଲା ସିବିଆଇ

ଓଡ଼ିଶା ସମେତ ୬ଟି ସ୍ଥାନରେ ଚଢ଼ଉ, ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଜବତ

ଭୁବନେଶ୍ୱର : ରେଳବାଇରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ୩ ଜଣିଆ ର‍୍ୟାକେଟ୍‌ର ପର୍ଦାଫାସ କରିଛି ସିବିଆଇ। ସେମାନେ ହେଲେ କଟକର କିଶୋର ଚନ୍ଦ୍ର ପ୍ରଧାନ, ପଶ୍ଚମବଙ୍ଗର ନାରାୟଣ ପାତ୍ର ଓ କୋଲକାତା ହାଓ୍ଵଡ଼ାର ଗୋବିନ୍ଦ ସିହ୍ନା। ପୁଲିସ ଏମାନଙ୍କ ନିକଟରୁ ଏକାଧିକ ମୋବାଇଲ୍‌ ଫୋନ୍‌ ଓ ଲାପଟପ୍‌ ଆଦି ଜବତ କରିଛି। ସିବିଆଇ ୩ ଜଣଙ୍କୁ ଗିରଫ କରି ଦିଲ୍ଲୀ ନେଇ ଯାଇଛି।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ରେଳବିକାଶ ନିଗମ ଲିମଟେଡ୍‌ ପକ୍ଷରୁ ରେଳବାଇ ନିଯୁକ୍ତିର କେତେକ ଠକ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ସିବିଆଇ ତଦନ୍ତ ଆରମ୍ଭ କରିବା ସହିତ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ, ମହାରାଷ୍ଟ୍ର ଭଳି ୫ଟି ରାଜ୍ୟରେ ଏକା ସାଙ୍ଗରେ ଚଢ଼ଉ କରିଥିଲା। ଚଢ଼ଉବେଳେ ଜଣାପଡ଼ିଥିଲା କି, ଉପୋରକ୍ତ ୩ ଜଣ ଅଭିଯୁକ୍ତ ରେଳବିକାଶ ନିଗମ ଲିମଟେଡ୍‌ ନାମରେ ଏକ ଜାଲ େଓ୍ଵବସାଇଟ୍‌ ଖୋଲି ରେଳବାଇରେ ନିଯୁକ୍ତି ଲୋଭ ଦେଖାଉଥିଲେ। ଏହା ବଦଳରେ ଅଭିଯୁକ୍ତମାନେ ପ୍ରାର୍ଥୀମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟୁ ଥିଲେ। ଏଥିପାଇଁ କିଛି ଦିନ ତଳେ ପୂର୍ବତଟ ରେଳପଥ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହି ର‍୍ୟାକେଟ୍‌ର ଚେର ସାରା ଦେଶକୁ ଲମ୍ବିଛି। ଗତ କିଛି ଦିନ ତଳେ ମହାରାଷ୍ଟ୍ର ପୁଲିସ କିଛି ଠକଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଥିଲା। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର