ଦୁବାଇରେ ଚାକିରି ଦେବାକୁ କହି କୋଟିଏ ଟଙ୍କା ଠକେଇ

ବାଲିଅନ୍ତା : ସହିଦନଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ଏକ କନସଲଟାନ୍ସି ସଂସ୍ଥା ଖୋଲି ଦୁବାଇରେ ଚାକିରି କରାଇ ଦେବାକୁ କହି ଜଣେ ଯୁବକ ରାଜ୍ୟର ବିଭିନ୍ନ ସ୍ଥାନର ବେକାର ଯୁବକ ଯୁବତୀଙ୍କଠାରୁ କୋଟିଏ ଟଙ୍କା ଠକି ଫେରାର୍‌ ହୋଇଯାଇଛି। ବାଲିଅନ୍ତା ଥାନା ଅଧୀନ ନାଗପୁର ଗ୍ରାମରେ ରହୁଥିବା ରଂଜିତ କୁମାର ମହାରଣା ନାମକ ଏହି ବ୍ୟକ୍ତି ଉକ୍ତ ଠକ ସଂସ୍ଥାର ମ୍ୟାନେଜିଂ ଡାଇରେକ୍ଟର ବୋଲି ଜଣାପଡ଼ିଛି। ‌ଚାକିରି ଲୋଭରେ ଠକେଇର ଶିକାର ହୋଇଥିବା ୨୦ରୁ ଅଧିକ ଯୁବକ ଆଜି ସନ୍ଧ୍ୟାରେ ତାଙ୍କ ଘର ସମ୍ମୁଖରେ ଡେରା ପକାଇଥିଲେ। ଟଙ୍କା ନ ଫେରାଇଲେ ସମସ୍ତେ ତାଙ୍କ ଘର ଆଗରେ ସମୂହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଥିଲେ। ଖୋର୍ଧା, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ଗଞ୍ଜାମ, ଜଗତସିଂହପୁର, ବାଲେଶ୍ବର, ହିମାଚଳପ୍ରଦେଶ, ବାଣପୁର, ବରିକୁଳ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲା ଅଞ୍ଚଳର ୪୦ରୁ ଅଧିକ ଯୁବକଙ୍କୁ ଭିଜିଟିଂ ଭିସା ବାହାର କରି ଏହି ସଂସ୍ଥା ଏକ କମ୍ପାନି ଠିକଣାରେ ଗତ ନଭେମ୍ବରରେ ଦୁବାଇ ପଠାଇଥିଲା। ନିଯୁକ୍ତିପତ୍ର ନେଇ ଯୁବକମାନେ ଦୁବାଇ ଯାଇଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ବମିଖାଲରେ ଥିବା ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚିଥିଲେ। କିନ୍ତୁ ସଂସ୍ଥାରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇଥିଲେ। ପରେ ବହୁ ଖୋଜାଖୋଜି କରି ରଂଜିତଙ୍କ ଠିକଣା ଜାଣି ଅପରାହ୍ଣରେ ନାଗପୁରରେ ପହଞ୍ଚିଥିଲେ। ଟଙ୍କା ନ ଫେରାଇଲେ ଘର ଆଗରେ ଜୀବନ ହାରିବେ ବୋଲି ସେମାନେ ଧମକ ଦେଇଛନ୍ତି। ଏନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାଲିଅନ୍ତା ଥାନା ପୁଲିସ ବି ପହଞ୍ଚିଥିଲା। ପିଲା ପିଛା ୮୦ ହଜାରରୁ ଦେଢ଼ ଲକ୍ଷ ଟଙ୍କା ହିସାବରେ ସେ ପ୍ରାୟ କୋଟିଏ ଟଙ୍କା ଠକି ନେଇଥିବା ନେଇ ସୂଚନା ମିଳିଛି। ଏହି ଘଟଣା ଆଜି ବାଲିଅନ୍ତାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ରିପୋର୍ଟ ଲେଖା ହେବା ବେଳକୁ ରଂଜିତର ଘର ଆଗରେ ଲୋକଙ୍କ ଭିଡ଼ ଲାଗି ରହିଥିଲା।

ସମ୍ବନ୍ଧିତ ଖବର