ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଫିଙ୍ଗିଦେଲେ ନକଲି ଟିଟିଇ

ପାଟନା : ଟ୍ରେନରେ ଏବେ ଟିଟିଇ ସାଜି ଲୁଟେରାମାନେ ଯାତ୍ରୀଙ୍କୁ ଲୁଟିବା ଭଳି ବହୁ ଘଟଣା ସାମ୍ନାକୁ ଆସୁଛି । ଯାତ୍ରୀମାନେ ଟଙ୍କା ନ ଦେବାକୁ ମନା କଲେ ତାଙ୍କ ସହ ଘଟୁଛି ଦୁର୍ଘଟଣା । କିଛି ଏଭଳି ଘଟଣା ଘଟିଛି ବିହାରର ସୀତାମଢ଼ି-ରକ୍ସୌଲ ପାସେଞ୍ଜର ଟ୍ରେନରେ ।
ଜଣେ ଯୁବକ ନକଲି ଟିଟିଇ ସାଜି ଯାତ୍ରୀମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ସମୟରେ ଜଣେ ଯାତ୍ରୀ ପାଖରେ ଟଙ୍କା ନଥିବାରୁ ଦେଇପାରିବେ ନାହିଁ ବୋଲି ମନା କରିଥିଲେ । ଏହା ଜାଣିବା ପରେ ଟିଟିଇ ଜଣଙ୍କ ଜୋର ଜବରଦସ୍ତି ତାଙ୍କୁ ଟଙ୍କା ଦେବା ପାଇଁ ବାଧ୍ୟ କରିଥିଲେ । ଯାତ୍ରୀ ଜଣଙ୍କ ଏ ନେଇ ଟିଟଇକୁ କ୍ଷମା ମାଗିବାରୁ ସେ ରାଗିଯାଇ ତାଙ୍କୁ ଚଳନ୍ତା ଟ୍ରେନରୁ ବାହାରକୁ ଠେଲି ଦେଇଥିଲେ, ଯାହାଫଳରେ ଯାତ୍ରୀ ଜଣକଗୁରୁତର ଆହତ ହୋଇଥିଲେ ।
ଯାତ୍ରୀଙ୍କ ପ୍ରତି ଏଭଳି ବ୍ୟବହାର ଦେଖି ଟ୍ରେନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ଟିଟିଇକୁ ଧରି ମାଡ଼ ମାରିବା ସହ ଟ୍ରେନକୁ ରୋକିଥିଲେ । ଏହା ପରେ ସଙ୍ଗେ ସଙ୍ଗେ ଯାତ୍ରୀମାନେ ଏନେଇ ପୁଲିସକୁ ସୂଚନା ଦେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଆରମ୍ଭ କରିଥିଲା । ପଚରାଉଚରା କରାଯିବା ସମୟରେ ଅଭିଯୁକ୍ତ ଜଣକ ନକଲି ଟିଟିଇ ଥିଲେ ବୋଲି ଜଣା ପଡ଼ିଥିଲା ।
ନକଲି ଟିଟିଇ ସାଜି ଯାତ୍ରୀମାନଙ୍କ ଠାରୁ ଟଙ୍କା ହଡ଼ପ କରିବା ଅଭିଯୁକ୍ତର ନିତିଦିନଆ କାମ ବୋଲି ସେ ସ୍ୱୀକାର କରିଥିଲା । ଅନ୍ୟପକ୍ଷରେ ପୀଡ଼ିତ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତ୍ୱପୁର୍ଣ୍ଣ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର