ଗୁଳି ଫୁଟାଇ ଛାତ୍ରୀଙ୍କୁ ଅପହରଣ: ବାଳକାଟିରେ ଆଲୋଡ଼ନ

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ଅଞ୍ଚଳରୁ ଶନିବାର ବିଳମ୍ବିତ ରାତିରେ ୫ ଜଣ ଯୁବକଙ୍କ ସମେତ ଜଣେ ମହିଳା ବନ୍ଧୁକ ଫୁଟାଇ ଜଣେ ନାବାଳିକାକୁ ବଳପୂର୍ବକ ଅପହରଣ କରି ନେଇଛନ୍ତି। ଅପହୃତା ନାବାଳିକା ଜଣକ ବାଳକାଟିରେ ଥିବା ଏକ ସ୍କୁଲରେ ୭ମ ଶ୍ରେଣୀରେ ପାଠ ପଢ଼ନ୍ତି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଇତିମଧ୍ୟରେ ଏହି ଅପହରଣ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବାଲିଅନ୍ତା ଥାନା ପୁଲିସ ଅପହରଣକାରୀ ଗୋଷ୍ଠୀଙ୍କ କବଳରୁ ଛାତ୍ରୀକୁ ଉଦ୍ଧାର କରିପାରିନି କି ଅପହର୍ତାମାନଙ୍କ ପତ୍ତା ମଧ୍ୟ ପାଇନାହିଁ। ଏ ସଂପର୍କରେ ନାବାଳିକାର ମାଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାଲିଅନ୍ତା ଥାନା ଅଧିକାରୀ ସୁଜିତ୍‌ କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଛନ୍ତି। ପୁଲିସ ସନ୍ଦେହରେ ଏକ ଦମ୍ପତିକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ତେବେ ନାବାଳିକା ଅପହରଣ ଘଟଣାର ପ୍ରକୃତ କାରଣ କ’ଣ ଏଯାଏ ଜଣାପଡ଼ିନଥିଲେ ହେଁ ପ୍ରେମ ଜନିତ କାରଣରୁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଅପହୃତା ନାବାଳିକାର ନିଜ ଘର ପ୍ରତାପଶାସନ ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମରେ ହୋଇଥିବା ବେଳେ ସେ ତାର ବାପାମାଆଙ୍କ ସହିତ ବାଳକାଟି ପୁରୀ ମୁଖ୍ୟ କେନାଲ ବନ୍ଧ ପାର୍ଶ୍ୱ ଏକ ବସ୍ତିରେ ରହନ୍ତି । ଏଠାରେ ଅଁଇଠା ଭୋଇ ନାମକ ଜଣେ ବୃଦ୍ଧ ମଧ୍ୟ ରୁହନ୍ତି । ଗତ ଦେଢ଼ମାସ ହେବ ଖୋର୍ଧା ଓ ପୁରୀ ଅଞ୍ଚଳର ଏକ ପରିବାର ତାଙ୍କ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ଘରକୁ ନିୟମିତ ଭାବେ ୭ ରୁ ୮ ଜଣ ଯୁବକ ଯିବା ଆସିବା କରୁଥିଲେ। କେତେଜଣ ବସ୍ତିବାସିନ୍ଦାଙ୍କ କହିବାନୁଯାୟୀ ଏହି ଯୁବକମାନେ କୌଣସି ଅପରାଧ ଘଟାଇବା ସନ୍ଦେହରେ ସେମାନେ ଏଭଳି ଯିବାଆସିବାକୁ ଦୃଢ଼ ବିରୋଧ କରିଥିଲେ। ଏପରିକି ପୁଲିସକୁ ମଧ୍ୟ ଏ ସଂପର୍କରେ ଜଣାଇଥିଲେ। ସେମାନଙ୍କ ଏହି ସନ୍ଦେହ ସତରେ ପରିଣତ ହେଲା। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏବେଳେ ୫ ଜଣ ଯୁବକଙ୍କ ସମେତ ଏହି ମହିଳା ବାଇକ୍‌ରେ ଆସିଥିଲେ ଏବଂ ବନ୍ଧୁକରୁ ଗୁଳି ଫୁଟାଇ ବସ୍ତି ବାସିନ୍ଦାଙ୍କୁ ଭୟଭୀତ କରିଥିଲେ। ଏହାପରେ ସେମାନେ ତାଙ୍କ ଘରେ ପଶି ଝିଅକୁ ଉଠାଇ ନେଇଥିବା ନାବାଳିକାର ମା’ ଏତଲାରେ ଦର୍ଶାଇଛନ୍ତି। ଅପହରଣ ବେଳେ ଦୁଇ ଜଣ ଯୁବକ ହାତରେ ବନ୍ଧୁକ ଧରିଥିଲେ ବୋଳି ନାବାଳିକାର ମା’ ପୁଲିସ ଆଗରେ ବୟାନ ଦେଇଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି ବାଲିଅନ୍ତା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏ ନେଇ ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲେ ହେଁ କେହି ଭୟରେ ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧିତ ଖବର