ବାପା ଝିଅଙ୍କୁ ୩ ବର୍ଷ ଜେଲ୍‌, ଜରିମାନା

ଜାଲ୍‌ କାଗଜପତ୍ର ବଳରେ ଚାକିରି

ଭୁବନେଶ୍ୱର: ହାଇକୋର୍ଟ ନିର୍ଦେଶର ଜାଲିଆତି କାଗଜପତ୍ର ପ୍ରସ୍ତୁତି କରି କମର୍ସିଆଲ ଟ୍ୟାକ୍ସ ଅଫିସର ଭାବେ ଚାକିରି ପାଇବା ଘଟଣାରେ ସିବିଆଇ କୋର୍ଟ ବାପ ଝିଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଝାରପଡ଼ା ବ୍ୟାଙ୍କ କଲୋନିର ସାମିନା ଦାସ ଓ ତାଙ୍କ ବାପା ସେକ୍‌ ଆୟୁବ। ଦୁହିଁଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ୨୦୦୧ ମସିହାରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ ପକ୍ଷରୁ କମର୍ସିଆଲ ଟ୍ୟାକ୍ସ ଅଫିସର ୨୫ଟି ପଦବିର ବିଜ୍ଞାପନ ପ୍ରକାଶ ପାଇଥିଲା। ୨୦୦୨ ମସିହାରେ ସାମିନା ବେଗମ ଲିଖିତ ଓ ମୌଖିକ ପରୀକ୍ଷା ଦେଇଥିଲେ। କିନ୍ତୁ ସେ ଅକୃତ କାର୍ଯ୍ୟ ହୋଇଥିଲେ। ହେଲେ ସେ ଜାଲ କାଗଜବଳରେ ତାଙ୍କର ଚାକିରି ହୋଇଛି ଦର୍ଶାଇ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରିଥିଲେ। ଏହା ଛଡ଼ା ହାଇକୋର୍ଟରେ ମଧ୍ୟ ଏକ ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ। ହାଇକୋର୍ଟ କୌଣସିି ନିର୍ଦେଶ ନ ଦେଉଣୁ ହାଇକୋର୍ଟର ଏକ ଜାଲ କାଗଜପତ୍ର ପ୍ରସ୍ତୁତି ନିଯୁକ୍ତି ପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନକୁ ଯାଇଥିଲେ। ଏ ନେଇ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କର୍ତୃପକ୍ଷଙ୍କ ମନରେ ସନ୍ଦେହ ହୋଇଥିଲେ। ତେଣୁ କର୍ତୃପକ୍ଷ ହାଇକୋର୍ଟ ଏଜିଙ୍କୁ ଜଣାଇଥିଲେ। ଏହା ପରେ ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ସିବିଆଇ ସେକ୍‌ ଆୟୁବ ଓ ସାମିନାଙ୍କୁ ଗିରଫ କରିଥିଲା।

ଆଜି ସିବିଆଇ ସ୍ୱତନ୍ତ୍ର କୋର୍ଟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସିବିଆଇ ପକ୍ଷରୁ ମାମଲାର ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ରାଜେଶ୍ୱର ହୋତା।

ସମ୍ବନ୍ଧିତ ଖବର