ଜାଲିଆତି କରି ଜମି ବିକ୍ରି, ବାପ ପୁଅ ଗିରଫ

ଭୁବନେଶ୍ବର: ନିଜକୁ ସାଧାରଣ ବର୍ଗର ଦର୍ଶାଇ ଜମି ବିକ୍ରି କରିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଅଭିଯୁକ୍ତ ବାପ-ପୁଅଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ, ଇନ୍‌ଫୋସିଟି ଥାନା ଅଧୀନ ଅମରେଶ୍ୱର ଦାସ ଓ ତାଙ୍କ ପୁଅ ରତ୍ନାକର ଦାସ। ଇଓଡବ୍ଲୁ ଆଜି ଉଭୟଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଇଛି। ୨୦୧୩ ମସିହାରେ ଅମରେଶ୍ୱର ଓ ତାଙ୍କ ପୁଅ ରତ୍ନାକର ଜଗନ୍ନାଥପ୍ରସାଦ ଅଞ୍ଚଳରେ ଥିବା ୨.୪୬୦ ଡିସିମିଲ୍‌ ଜମିକୁ ବଦ୍ରିନାରାୟଣ ମିଶ୍ରଙ୍କୁ ବିକ୍ରି କରିଥିଲେ। ଅମରେଶ୍ୱର ଦଳିତ ଶ୍ରେଣୀର। କିନ୍ତୁ ଜମି ବିକ୍ରି କରିବା ବେଳେ ନିଜକୁ ସାଧାରଣ ବର୍ଗର ବୋଲି ଦର୍ଶାଇଥିଲେ। ଜମି ବିକ୍ରି ପାଇଁ ଦଳିତମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ନିୟମକୁ ଉଲ୍ଲଙ୍ଘନ ତଥା ଠକେଇ କରିଥିବାରୁ ବଦ୍ରିନାରାୟଣ ଏ ସଂପର୍କରେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଇଓଡବ୍ଲୁ ନମ୍ବର ୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉଲ୍ଲେଖଯୋଗ୍ୟ, ଅମରେଶ୍ୱର ୨୦୦୭ ମସିହାରେ ବିଜେପି ନଗରର ସ୍ନିଗ୍ଧା ପ୍ରଧାନ ନାମକ ଜଣେ ମହିଳାଙ୍କୁ ମଧ୍ୟ ଏମିତି ଜାଲିଆତି କରି ଜମି ବିକିଥିବା ଇଓଡବ୍ଲୁ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର