ମାଲିକ ଓ ପୁଅଙ୍କ ବିରୋଧରେ କୋର୍ଟରେ ମାମଲା

ଘରୋଇ ଶିକ୍ଷାନୁଷ୍ଠାନ ମାଲିକଙ୍କ ନିକଟରୁ ବଟି ଆଦାୟ ଘଟଣାରେ ନୂଆ ମୋଡ଼

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ମାଲିକଙ୍କୁ ବଟି ମାଗିବା ଘଟଣାରେ ନୂଆମୋଡ଼ ନେଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଯୁବତୀଙ୍କ ସଂପର୍କୀୟ ଉକ୍ତ ଶିକ୍ଷାନୁଷ୍ଠାନର ମାଲିକ ପ୍ରବୀର ପାଲ (୭୪) ଏବଂ ତାଙ୍କ ପୁଅ ପ୍ରୀତମ ପାଲ (୪୨)ଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ସହିଦ ନଗର ପୁଲିସ୍‌କୁ ଏହି ଘଟଣାରେ ଅଭିଯୋଗ ଗ୍ରହଣ କରି କଲେଜ ମାଲିକ ଓ ତାଙ୍କ ପୁଅ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ଯୁବତୀଙ୍କ ସଂପର୍କୀୟ କୋର୍ଟରେ ପ୍ରାର୍ଥନା କରିଛନ୍ତି। ସୂଚନାଅନୁଯାୟୀ ଜଣେ ଯୁବତୀଙ୍କୁ ମାଧ୍ୟମ କରି ୧୦ଲକ୍ଷ ଟଙ୍କାର ଦାଦା ବଟି ମାଗିବା ଅଭିଯୋଗରେ ଶ୍ରୀ ପାଲ୍‌ଙ୍କ ଅଭିଯୋଗକ୍ରମେ ଚନ୍ଦ୍ରଶେଖରପୁର ପୁଲିସ୍‌ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହିତ ଏହି ଘଟଣାରେ ସଂପୃକ୍ତ ଯୁବତୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ପୁଲିସ ଉଦ୍ୟମ କରୁଛି। ମାତ୍ର ଦୁଇ ଦିନ ତଳେ ଯୁବତୀ ଜଣଙ୍କ ଏକ ଭିଡିଓ ମାଧ୍ୟମରେ ଉକ୍ତ ଶିକ୍ଷାନୁଷ୍ଠାନର ମାଲିକ ତାଙ୍କୁ ଚାକିରି ଦେବା ବାହାନାରେ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ। ସୋମବାର ଦିନ କୋର୍ଟରେ ଦାୟର ହୋଇଥିବା ମାମଲାରେ ଏହି ବିଷୟ ଯୁବତୀଙ୍କ ସଂପର୍କୀୟ ଉଲ୍ଲେଖ କରିଛନ୍ତି।

ମୋ କଥା ମାନିଲେ ଚାକିରି ପକ୍କା
ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଯୁବତୀଙ୍କ ସଂପର୍କୀୟ ଉକ୍ତ ଶିକ୍ଷାନୁଷ୍ଠାନରେ ୨୦୦୯ ମସିହାରୁ କିଛି କିଛି ଠିକା କାମ କରୁଥିବାରୁ ଉକ୍ତ ସଂସ୍ଥାର ମାଲିଙ୍କ ସହିତ ଘନିଷ୍ଠତା ଥିଲା। ପୁରୀ ଜିଲାରେ ରହୁଥିବା ତାଙ୍କର ଜଣେ ଦୂର ସଂପର୍କୀୟା ଭଉଣୀ ଚାକିରି ପାଇଁ ଅନୁରୋଧ କରିଥିଲେ। ଫଳରେ ସେ ଏ ନେଇ ସେ ଶ୍ରୀ ପାଲ୍‌ଙ୍କୁ କହିଥିଲେ। ତଦନୁଯାୟୀ ଯୁବତୀ ଜଣଙ୍କ ଚଳିତ ମାସ ୭ ତାରିଖ ଅପରାହ୍ଣ ୫ଟାରେ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା। ଶ୍ରୀ ପାଲ୍‌ ଯୁବତୀଙ୍କର କାଗଜପତ୍ର ଯାଞ୍ଚ ପରେ ଚାକିରି ପାଇଁ ତାଙ୍କ ନିକଟରେ ସେଭଳି କିଛି ଖାସ୍‌ ଯୋଗ୍ୟତା ନଥିବା କହିଥିଲେ। ମାତ୍ର ତାଙ୍କ କଥାରେ ରାଜି ହୋଇଗଲେ ଚାକିରି ପକ୍କା ବୋଲି କହି ଯୁବତୀଙ୍କ ସହିତ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ଯୁବତୀ ଜଣଙ୍କ ଏ ସଂପର୍କରେ ତାଙ୍କ ସଂପର୍କୀୟଙ୍କୁ କହିଥିଲେ। ଏହାପରେ ସେ ଶ୍ରୀ ପାଲ୍‌ଙ୍କ ସହିତ ଏହି ବିଷୟରେ ଆଲୋଚନା କରିବାକୁ ସହିଦନଗରସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ। ମାତ୍ର ଶ୍ରୀ ପାଲ୍‌ ଏହାକୁ ଖଣ୍ଡନ କରିବା ସହିତ ତାଙ୍କ ପୁଅ ପ୍ରୀତମଙ୍କୁ କହି ଗାଳିଗୁଲଜ କରିଥିଲେ। ଏପରିକି କଲେଜ ଉପରେ ବିଭିନ୍ନ କାମ ବାବଦ ବାକିଥିବା ୨୨ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ମନା କରିଦେଇଥିଲେ। ପ୍ରୀତମ ଏହି ଘଟଣାରେ ସଂପର୍କୀୟ ଓ ଯୁବତୀଙ୍କୁ ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ ଦେଇଥିଲେ। ଏ ସଂପର୍କରେ ଯୁବତୀଙ୍କ ସଂପର୍କୀୟ କୋର୍ଟରେ ଅଭିଯୋଗ କରିଛନ୍ତି। ଏହି ଘଟଣା ସଂପର୍କରେ ସହିଦନଗର ପୁଲିସକୁ ଜଣାଇଥିଲେ ମଧ୍ୟ ପୁଲିସ୍‌ ଏଫ୍‌ଆଇଆର୍‌ ରଖି ନଥିଲା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ତେଣୁ ତାଙ୍କ ଅଭିଯୋଗକୁ ସହିଦନଗର ପୁଲିସ୍‌ ମାମଲା ଭାବରେ ନେବା ସହିତ ଦଫା ୧୫୬(୩)ରେ ଏହି ଘଟଣାରେ ଉପଯୁକ୍ତ ତଦନ୍ତ କରିବାକୁ ଯୁବତୀଙ୍କ ସଂପର୍କୀୟ କୋର୍ଟରେ ଅନୁରୋଧ କରିଛନ୍ତି। ତେବେ ବଟି ଆଦାୟ ମାମଲାରେ ଚାରି ଜଣ ଗିରଫ ହୋଇଥିବା ବେଳେ କଲେଜ ମାଲିକଙ୍କୁ ମଧ୍ୟ ଏହି ଘଟଣାରେ ତଦନ୍ତ ପରିସରଭୁକ୍ତ କରାଯିବ କି ନାହିଁ ତାହା ଦେଖିବାକୁ ବାକି ରହିଲା। ଯଦି ଏହି ଘଟଣାରେ ଶିକ୍ଷାନୁଷ୍ଠାନ ମାଲିକ କୌଣସି ପ୍ରକାର ଜଡ଼ିତ ଥାଆନ୍ତି ତେବେ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଗିରଫ ହୋଇଥିବା ଯୁବକଙ୍କ ପରିବାରବର୍ଗ ଦାବି କରିଛନ୍ତି। ପ୍ରଥମେ ଏକ ଭିଡିଓ ମାଧ୍ୟମରେ ଅଭିଯୋଗ ଏବଂ ବର୍ତମାନ କୋର୍ଟରେ ଶ୍ରୀ ପାଲଙ୍କ ବିରୋଧରେ ମାମଲା ତାଙ୍କୁ ଏହି ଘଟଣାରେ ଅଡ଼ୁଆ ଭିତରକୁ ଟାଣି ନେଇଥିବା ଚର୍ଚା ହେଉଛି।

ସମ୍ବନ୍ଧିତ ଖବର