ଦଳିତକୁ ବାହା ହେବାରୁ ଝିଅର ବାମ ବାହୁ କାଟି ପକାଇଲେ ବାପା

ହାଇଦ୍ରାବାଦ: ବୁଧବାର ଦିନ ସହରର କେନ୍ଦ୍ରସ୍ଥଳରେ ନିଜର ୨୦ ବର୍ଷୀୟ ଝିଅ ଏବଂ ତା’ର ନବବିବାହିତ ସ୍ୱାମୀଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଆକ୍ରମଣରେ ଝିଅର ବାମ ବାହୁ କଟି ବାହାରି ଯାଇଛି ଏବଂ ହନୁହାଡ଼ ଟୁକୁଡ଼ା ଟୁକୁଡ଼ା ହୋଇଯାଇଛି।

ବଞ୍ଜାରା ହିଲ୍‌ସ୍‌ ପୁଲିସ କହିଛି ଯେ ଅଜାତିରେ ବାହାଘର ଯୋଗୁଁ ଝିଅର ବାପ ବଡ଼ ବିବ୍ରତ ହୋଇପଡ଼ିଥିଲେ। ଝିଅଟି ଅନ୍ୟାନ୍ୟ ପଛୁଆ ଜାତିର (ଓବିସି) ହୋଇଥିବାବେଳେ ତା’ର ୨୨ ବର୍ଷିୟ ସ୍ୱାମୀ ବି ସନ୍ଦୀପ ଜଣେ ଦଳିତ। ସନ୍ଦୀପ ଏବଂ ମାଧବୀ ଚାରିଙ୍କ ମଧ୍ୟରେ ଗତ ୫ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ଏବଂ ବାପା ୪୨ ବର୍ଷିୟ ମନୋହର ଚାରିଙ୍କର ଦୃଢ଼ ବିରୋଧ ସତ୍ତ୍ୱେ ସେମାନେ ଗୁପ୍ତରେ ସେପ୍ଟେମ୍ବର ୧୨ ତାରିଖ ଦିନ ବାହା ହୋଇପଡ଼ିଥିଲେ। କଥା ମେଣ୍ଟାଇବାକୁ ସ୍ୱାମୀକୁ ସାଙ୍ଗରେ ନେଇ ଆସିବାକୁ ବୁଧବାର ଅପରାହ୍ଣରେ ମନୋହର ଝିଅକୁ ଫୋନ୍‌ କରି ଡକାଇଥିଲେ।

ଦୁହେଁ ସାଢ଼େ ତିନିଟା ବେଳେ ଏରାଗଡ୍ଡା ଅଞ୍ଚଳରେ ଥିବା ଗୋକୁଳ ଥିଏଟର୍‌ରେ ପହଞ୍ଚିଲେ। ମାଧବୀଙ୍କ ବାପା ସେଠାରେ ପହଞ୍ଚି ବ୍ୟାଗ୍‌ରୁ ଏକ କତା ବାହାର କଲେ। ପୁଲିସ ଉଦ୍ଧାର କରିଥିବା ସିସିଟିଭି ଫୁଟେଜ୍‌ରେ ଦେଖା ଯାଉଛି କେମିତି ମନୋହର ପ୍ରଥମେ ସନ୍ଦୀପଙ୍କୁ ଆଘାତ କଲେ ଏବଂ ସେ ଖସି ପଳାଇବାରେ ସମର୍ଥ ହେଲେ। ତା’ପରେ ମନୋହର ଝିଅର ବାହୁରେ ପ୍ରଥମେ କତା ଚୋଟ ପକାଇଲେ ଏବଂ ତା’ପର ଚୋଟ ଝିଅର ମୁହଁରେ। ମାଧବୀ ଭୂଇଁରେ ଲୋଟିଗଲା।

ମନୋହର ପୁଣି ତାଙ୍କ ଝିଅକୁ ହାଣିବାକୁ ଉଦ୍ୟମ କଲାବେଳେ ପଛରୁ ଜଣେ ବ୍ୟକ୍ତି ତାଙ୍କୁ ଗୋଇଠାଏ ମାରିଲେ। ସେ ଛାନିଅାଁରେ ଜାଗା ଛାଡ଼ି ପଳାଇଲେ। ବଞ୍ଜାରା ହିଲ୍‌ସ୍‌ ଏସିପି ବିଜୟ କୁମାର କହନ୍ତି, ମନୋହରଙ୍କ ବିରୋଧରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି।

ମାଧବୀର ବେକରେ ଓ ହନୁହାଡ଼ ଧାରରେ ୧୨ ଇଞ୍ଚ୍‌ର କ୍ଷତଟିଏ ହୋଇଛି। କଟି ଯାଇଥିବା ବାମ ହାତଟି ଚର୍ମରେ ଝୁଲନ୍ତାପ୍ରାୟ ଅବସ୍ଥାରେ ରହିଛି। ତାଙ୍କର ଦଶ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ଅସ୍ତ୍ରୋପଚାର ଚାଲିଥିଲା। ସନ୍ଦୀପ ଅନ୍ୟ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପାଟି ପାଖରେ ଗଭୀର କ୍ଷତ ହୋଇଥିବାରୁ ୧୦ଟି ଷ୍ଟିଚ୍‌ ପଡ଼ିଥିବା କଥା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର