ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ଆତ୍ମହତ୍ୟା କରିବାକୁ ବାହାରିଥିବା ମହିଳାଙ୍କ ବାପାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜଣେ ବିଜେପି ବିଧାୟକ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଦୁଷ୍କର୍ମର ସରବ୍ୟ ହୋଇଛନ୍ତି ବୋଲି ଦାବି କରୁଥିବା ଜଣେ ମହିଳାଙ୍କ ବାପାଙ୍କର ଆଜି ମୃତ୍ୟୁ ଘଟିଛି। ରବିବାର ଦିନ ତାଙ୍କ ବାପାଙ୍କୁ ପୁଲିସ ଗିରଫ କରିଥିଲା।

ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଛି ବୋଲି ଉନ୍ନାଓସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅତୁଳ କହିଛନ୍ତି। ସେ କହିଛନ୍ତି: ପେଟ ଯନ୍ତ୍ରଣା ଏବଂ ବାନ୍ତି ହେଉଥିବା କଥା କହିବା ପରେ ତାଙ୍କୁ ଗତ ରାତିରେ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଆଜି ପ୍ରତ୍ୟୁଷରେ ତାଙ୍କର ଦେହାନ୍ତ ହୋଇ ଯାଇଛି।

ଗତ ରବିବାର ଦିନ ସେ ମହିଳା ଏବଂ ତାଙ୍କ ପରିବାର ଲକ୍ଷ୍ନୌ ଠାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆତ୍ମହତ୍ୟାର କାରଣ ଉଲ୍ଲେଖ କରିବାକୁ ଯାଇ ସେ କହିଥିଲେ କି, ଉନ୍ନାଓର ବିଜେପି ବିଧାୟକ କୂଳଦୀପ ସିଂହ ସେଙ୍ଗାର୍‌ ତାଙ୍କ ସହ ଦୁଷ୍କର୍ମ କରିଥିଲେ ମଧ୍ୟ ପୁଲିସ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ନିଷ୍କ୍ରିୟ ରହୁଛି।

ସେ ଆହୁରି ଅଭିଯୋଗ କରିଥିଲେ କି, ସେଙ୍ଗାର୍‌ଙ୍କ ବିରୋଧରେ ଅଭିଯୋଗ ଦାଏର କରିବା ପରେ ତାଙ୍କ ପରିବାରକୁ ଧମକ ଦିଆ ଯିବା ସହ ତାଙ୍କ ବାପାଙ୍କୁ ମାଡ଼ ଦିଆଯାଇଛି।

ଆତ୍ମହତ୍ୟା ଉଦ୍ୟମରେ ପୁଲିସ ହସ୍ତକ୍ଷେପ କରି ସେ ମହିଳା ଓ ତାଙ୍କ ପରିବାରକୁ ଗୌତମ ପାଲି ଥାନାକୁ ନେଇଥିଲେ। ସେଠାରେ ମଧ୍ୟ ମହିଳାଜଣକ ଆତ୍ମହତ୍ୟା କରିବାକୁ ପୁଣି ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର