ଅନ୍ଧବିଶ୍ୱାସର କରୁଣ ପରିଣତି: ନିଜ ନାବାଳକ ପୁଅର ଗୁପ୍ତାଙ୍ଗ କାଟି ବଳି ଦେଲା ବାପା

ଅଭିଯୁକ୍ତ ବାପା, ଗୁଣିଆକୁ ଗିରଫ କଲା ପୁଲିସ

ରାୟପୁର: ଶିଶୁବଳି ଓ ତନ୍ତ୍ର ସାଧନାର ଏକ ଘୃଣିତ ଘଟଣା ଘଟିଛି ଛତିଶଗଡ଼ର ରାୟପୁରଠାରେ। ଜଣେ ବାପା ତାର ୧୩ ବର୍ଷର ପୁଅକୂ ବଳି ଦେବା ସହିତ ଏକ ତୀକ୍ଷ୍ଣ ଅସ୍ତ୍ରରେ ତାର ଗୁପ୍ତାଙ୍ଗକୁ କାଟିି ଦେଇଥିବା ପରି ଘଟଣା ଏବେ ଛତିଶଗଡ଼ର ବଲୋଦା ବଜାର ଜିଲ୍ଲାରେ ନଜରକୁ ଆସିଛି। ନିଜ ଘର ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏହି ବାଳକର ଉଲଗ୍ନ ଶବ ପଡ଼ିଥିଲେ ମଧ୍ୟ ପରିବାରର କେହି ଏ ନେଇ ମୁହଁ ଖୋଲି ନ ଥିଲେ। ଏ ନେଇ ପୁଲିସ ମୃତ ବାଳକର ବାପା ଓ ଜଣେ ଗୁଣିଆକୁ ଗିରଫ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଲୋଦାବଜାର ଜିଲ୍ଲାର ଅମେର ଗାଁର ରାମ ଗୋପାଲ ପଟେଲ ନାମକ ଜଣେ ବ୍ୟକ୍ତି ନିଜ ପୁଅକୁ ବଳି ପକାଇବା ପାଇଁ ତାର ଗୁପ୍ତାଙ୍ଗକୁ କାଟି ଦେଇଥିଲେ। ମୃତ ବାଳକର ମାଆ ରୁପେଶ ପଟେଲ କୌଣସି କାମରେ ବିଲକୁ ଯାଇଥିବା ବେଳେ ରାମଗୋପାଲ ପଟେଲ ରାଜେଶ ଯାଦବ ନାମକ ଜଣେ ଗୁଣିଆ ସହାୟତାରେ ଏହି କାଣ୍ଡ କରିଥିଲେ। ଯେତେବେଳେ ରୁପେଶ ବିଲରୁ ଫେରିଲେ ସେତେବେଳେ ସେ ତାଙ୍କ ଘର ଭିତରେ ପୁଅର ରକ୍ତ ଜୁଡ଼ୁବୁଡ଼ ମୃତଦେହ ଦେଖି ହାଉଳି ଖାଇ ଲୋକଙ୍କୁ ଡାକ ପକାଇଥିଲେ। ଏ ନେଇ ବଲୋଦାବେଜାର ଜିିଲ୍ଲା ପୁଲିସ ଅଧିକ୍ଷକ ଆର ଏନ ଦାଶ କହିଛନ୍ତି ଯେ ଘଟଣାସ୍ଥଳରୁ ମିଳିଥିବା ସୂଚନା, ତଥ୍ୟପ୍ରମାଣ ଓ ପ୍ରାଥମିକ ତଦନ୍ତରୁ ଏହି ଘଟଣାରେ ମୃତ ଶିଶୁର ବାପା ରାମଗୋପାଲର ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ସେହିପରି ତାଙ୍କ ପୁଅକୁ ବଳି ଦେଲେ ତାଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ରାମଗୋପାଳଙ୍କ ମନରେ ବିଶ୍ୱାସ ଜନ୍ମାଇ ଶିଶୁ ବଳି ପାଇଁ ତାଙ୍କୁ ଉସକାଇଥିବା ରାଜେଶ ଯାଦବ ନାମକ ଜଣେ ଗୁଣିଆକୁ ମଧ୍ୟ ଗିରଫ କରାଯାଇଛି। ତେବେ ଘଟଣାର ସମସ୍ତ ତଥ୍ୟ ହସ୍ତଗତ ହୋଇ ନ ଥିଲେ ମଧ୍ୟ ପୁଲିସ ଦଫା ୩୦୨, ୧୨୦ (ଖ) ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ ଯେ ଛତିଶଗଡ଼ରେ ଅନ୍ଧବିଶ୍ୱାସ ପ୍ରବଳ ମାତ୍ରାରେ ରହିଛି। ଅତୃପ୍ତ ଆତ୍ମା ଯୋଗୁଁ ସେମାନଙ୍କର ସମସ୍ୟା ରହୁଛି ବାଲି ଭାବି ଅର୍ଦ୍ଧଶିକ୍ଷିିତ, ଅଶିକ୍ଷିତ ଲୋକେ ଗୁଣିଆ ମାନଙ୍କ ପାଖକୁ ଧାଉଁଛନ୍ତି। ଫଳରେ ଏହି ଗୁଣିଆମାନେ ଲୋକଙ୍କ ମନରେ ଗୁଣିଗାରେଡି ପ୍ରତି ବିଶ୍ୱାସ ଜନ୍ମାଇ ଏଭଳି ନାରକୀୟ କାଣ୍ଡ ଘଟାଉଛନ୍ତି। ତେଣୁ ଅଞ୍ଚଳରେ ଥିବା ଅନ୍ୟ ଗୁଣିଆଙ୍କ ଉପରେ ପୁଲିସ ଏବେ ନଜର ରଖି ଖୋଳତାଡ଼ ଆରମ୍ଭ କରିଛି ବୋଲଇ ଏସପି ଶ୍ରୀ ଦାଶ କହିଛନ୍ତି।
ସୂଚନାଯୋଗ୍ୟ ଯେ ପଟେଲ ପରିବାର ଖୁବ୍‌ ଅନ୍ଧବିଶ୍ୱାସୀ। ସେମାନେ ଗୁଣିଆକୁ ପୁରା ଭରସା କରନ୍ତି ଓ ତାଙ୍କ ପରାମର୍ଶକୁ ଅନ୍ଧ ଭାବେ ପାଳନ କରନ୍ତି। ମୃତ ଶିଶୁର ମାଆ ମଧ୍ୟ ତାଙ୍କ ପୁଅକୁ ଅତୃପ୍ତ ଆତ୍ମା ମାରି ଦେଇଛି ବୋଲି କହୁଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୬ ମସିହା ମେ ମାସରେ ମଧ୍ୟ ସେହି ଅଞ୍ଚଳରେ ଜଣେ ୧୨ ବର୍ଷର ବାଳକକୁ ତାର ପରିବାର ଲୋକେ ବଳି ଦେଇଥିଲେ।ସେହିପରି ୨୦୧୬ ଅଗଷ୍ଟ ମାସରେ ମଧ୍ୟ ଜଣେ ୧୦ ବର୍ଷର ବାଳକକୁ ନବରାତ୍ର ସମୟରେ ତାର ବାପା ହତ୍ୟା କରିବା ପରେ ମାଆଙ୍କୁ ବଳି ଦେଇଥିବା କହିଥିଲେ।

ସମ୍ବନ୍ଧିତ ଖବର