ଅଳଙ୍କାର ଦେକାନରୁ ଲୁଟ୍‌ ଉଦ୍ୟମ ଘଟଣା: ପୁଲିସ ଏଏସ୍‌ଆଇଙ୍କୁ ଦେଖି ଭୟରେ ମଠ ଭିତରକୁ ପଶିଗଲେ ୩ ଡକାୟତ

ବେତନଟି/ବୈଶିଙ୍ଗା: ମୟୂରଭଂଜ ଜିଲ୍ଲାର ବୈଶିଙ୍ଗା ଥାନା ଏଏସ୍‌ଆଇ ସୁଶାନ୍ତ କୁମାର ମହରଣାକୁ ଦେଖି ଶୁକ୍ରବାର ୩ ଜଣ ଡକାୟତ ମଠ ଭିତରକୁ ପଶି ଯାଇଛନ୍ତି। ଫେରାର ଡକାୟତମାନେ ଆଜି ପୂର୍ବାହ୍ନରେ ବୈଶିଙ୍ଗାସ୍ଥିତ ମାଣତ୍ରୀ ରାସ୍ତା ପାର୍ଶ୍ୱରେ ଥିବା ମହାରଣା ଅଳଙ୍କାର ଦୋକାନରେ ଲୁଟ ଉଦ୍ୟମ କରିଥିଲେ। ଏହି ଲୁଟ ଉଦ୍ୟମ ଘଟଣାରେ ୩ ସଂପୃକ୍ତ ଅନ୍ୟ ୩ ଜଣ ଡକାୟତ ପୁଲିସ ହାତରେ ଧରାପଡ଼ିଛନ୍ତି। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଥିବା ଡକାୟତମାନେ ଅଣ ଓଡ଼ିଆ ବୋଲି ଜଣାପଡ଼ିଛି। ସେମାନେ ହିନ୍ଦୀ ଓ ବଂଗାଳୀ ଭାଷା କଥା ହେଉଛନ୍ତି।

ସୂଚନା ଅନୁସାରେ ଏଏସ୍‌ଆଇ ସୁଶାନ୍ତ କୁମାର ଆଜି ବାଲେଶ୍ୱରରୁ ବୈଶିଙ୍ଗା ଫେରୁଥିବା ବେଳେ ପଦ୍ମପୁର ନିକଟରେ ସାମ୍ନା ପଟରୁ ପଲସରରେ ଆସୁଥିବା ଡକାୟତଙ୍କ ହାବୁଡ଼ରେ ପଡ଼ିଥିଲେ। ପଲସରରେ ବସିଥିବା ୩ ଜଣ ଯୁବକଙ୍କ ପ୍ରତି ସୁଶାନ୍ତଙ୍କ ସନ୍ଦେହ ହୋଇଥିଲା। ଡକାୟତମାନେ ସୁଶାନ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲେ କିନ୍ତୁ କୌଣସି ପ୍ରକାରରେ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ମଠକୁ ଘେରି ରଖିଛି। ଘଟଣା ଉପରେ ମୟୂରଭଂଜ ଏସ୍‌ପି ଏସ୍‌ ପରମାର ଓ ବୈଶିଙ୍ଗା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ ନଜର ରଖିଛନ୍ତି। ଅନ୍ୟପଟରେ ଲୁଟେରାମାନଙ୍କ ଗୁଳି ଚାଳନା ଓ ଏସିଡ୍‌ ମାଡ଼ରେ ଅଳଙ୍କାର ଦୋକାନର ଉଭୟ ମାଲିକ ଧୃବଚରଣ ମହାରଣା ଓ ତାଙ୍କର ପୁଅ ଲିଟୁ ମହରାଣା ଗୁରୁତର ଆହତ ହୋଇଛନ୍ତି। ବାପ ଗୋଡ଼ରେ ଗୁଳି ବାଜି ଥିବା ବେଳେ ପୁଅ ଏସିଡ୍‌ ମାଡ଼ରେ ଗୁୁରୁତର ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର