ପତ୍ନୀ ଦ୍ୱିତୀୟ ଥର କନ୍ୟା ଜନ୍ମ ଦେବାରୁ ୧୮ ମାସର ଝିଅକୁ ଛାତରୁ ଫୋପାଡ଼ିଲା ନୃଶଂସ ବାପ

ବରେଲି: ଉତ୍ତରପଦେଶର ବରେଲିସ୍ଥିତ ଏକ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା। ପୁଅଟିଏ ପାଇଁ ଆଶା କରିଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ଦ୍ୱିତୀୟ ଥର ପାଇଁ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ନୃଶଂସ ବ୍ୟକ୍ତି ଜଣକ ନିଜର ୧୮ ମାସର କନ୍ୟାକୁ ଛାତ ଉପରୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

କାବ୍ୟା ନାମକ ଉକ୍ତ ଶିଶୁଟି ଛାତ ଉପରୁ ପଡ଼ିଯିବା ପରେ ଗୁରୁତର ଭାବେ ଆହତ ହୋଇଛି। ଘଟଣାଟି ସିଭି ଗଞ୍ଜ ପୁଲିସ୍‌ ଥାନା ଅଧୀନରେ ଥିବା ପରଧୌଲି ଗ୍ରାମରେ ଘଟିଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ନୃଶଂସ ବାପ ଜଣକ ହେଉଛନ୍ତି ଅରବିନ୍ଦ ଗଙ୍ଗଓ୍ଵର। ସେ ଏପରି କାଣ୍ଡ ରଚିଥିବା ସମୟରେ ମଦ୍ୟପାନ କରିଥିବା ସୂଚନା ରହିଛି। ଘଟଣାର ତଦନ୍ତ କରି ପୁଲିସ୍‌ ଅଭିଯୁକ୍ତ ବାପକୁ ଗିରଫ କରିଛି।

ଗ୍ରାମବାସୀଙ୍କ କହିବା କଥା ହେଲା ଅରବିନ୍ଦଙ୍କ ପତ୍ନୀ ୫ ଦିନ ହେବ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ହିଁ ତାଙ୍କ ପରିବାରରେ ଗଣ୍ଡଗୋଳ ଉପୁଜିଥିଲା।

ମଙ୍ଗଳବାର ଦିନ ମଦ ପିଇ ନିଜର ହିତାହିତ ଜ୍ଞାନ ହରାଇଥିବା ଅରବିନ୍ଦ ନିଜର ୧୮ ମାସର ଛୁଆକୁ ନେଇ ଛାତ ଉପରକୁ ଯାଇ ଫୋପାଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର