ବରମୁଣ୍ଡାରେ ଗାଁରେ ଦୁର୍ବୃତ୍ତଙ୍କ ହଙ୍ଗାମା

୩ ଅଟକ, ମାରଣାସ୍ତ୍ର ଭର୍ତି କାର୍‌ ଜବତ

ଖଣ୍ଡଗିରି: ଆଜି ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟାବେଳେ ବରମୁଣ୍ଡା ଗାଁ ଭିତରେ ପଶି ହଙ୍ଗାମା କରିଥିବା ୫ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଗ୍ରାମବାସୀମାନେ ୩ ଜଣଙ୍କୁ କାବୁ କରି ଖଣ୍ଡଗିରି ଥାନା ଜିମା ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ କାର୍‌ ଜବତ କରିଛି। କାର୍‌ ଭିତରୁ ୩ଟି କଟୁରି ଓ ଦୁଇଟି ଖଣ୍ଡା ଜବତ କରାଯାଇଥିବା ସୂଚନା ମିଳିଛି। ଅଟକ ୩ଜଣଙ୍କ ଘର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗ୍ରାମବାସୀଙ୍କ ସୂଚନାନୁସାରେ କମିସନରେଟ୍‌ ପୁଲିସର ପିସିଆର୍‌ ଡ୍ରାଇଭର୍‌ ଅଜୟ ଜେନା ଓ ତାଙ୍କ ପୁଅ ବିଭୁ ପ୍ରସାଦ ଏହି ୩ ଜଣ ଭଡ଼ାଟିଆ ଗୁଣ୍ଡାଙ୍କୁ ଆଣି ଗାଁ ଭିତରେ ପଶିଥିଲେ। ସେମାନେ ଗାଁ ଭିତରେ ପଶି ଗାଳିମନ୍ଦ କରିବା ସହ କିଛି ଲୋକଙ୍କୁ ମାର୍‌ଧାର କରିଥିଲେ। ବିଭୁ ପ୍ରସାଦ ଏକ ମାଉଜର୍‌ ଧରି ଖୁବ୍‌ ଜୋର୍‌ରେ ଗାଳିମନ୍ଦ କରୁଥିଲା। ଅନ୍ୟମାନେ ଖଣ୍ଡା ଓ କଟୁରି ଧରି ଗାଁ ଭିତରେ ମାର୍ଚିଂ କଲାଭଳି ଆତଙ୍କ ଖେଳାଇ ଦେଇଥିଲେ। ତେବେ କିଛି ଯୁବକ ସାହସ କରି ସେମାନଙ୍କୁ ଘେରି ଯାଇଥିଲେ। ଗ୍ରାମବାସୀମାନେ ଏକାଠି ହୋଇଯିବା ଦେଖି ପିସିଆର୍‌ ଡ୍ରାଇଭର୍‌ ଅଜୟ ଓ ପୁଅ ବିଭୁ ଖସି ପଳାଇଥିଲେ। କିନ୍ତୁ ଗ୍ରାମବାସୀମାନେ ୩ ଜଣ ଭଡ଼ାଟିଆ ଗୁଣ୍ଡାଙ୍କୁ କାବୁ କରିନେଇଥିଲେ। ବହେ ମାଡ଼ ଦେବା ପରେ ସେମାନେ ଖଣ୍ଡଗିରି ଥାନା ପୁଲିସକୁ ଖବର ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅଜୟ ଏହି ଗାଁରେ ଜଣଙ୍କ ଘରେ ଭଡ଼ାରେ ଥିବାବେଳେ ଭଡ଼ା ଟଙ୍କା ଦେବାକୁ ନେଇ ଘର ମାଲିକଙ୍କ ସହ ଝଗଡ଼ା କରିଥିଲା। ପରେ ଗ୍ରାମବାସୀମାନେ ଏଥିରେ ହସ୍ତକ୍ଷେପ କରି ଅଜୟକୁ ଗାଁରୁ ବାହାର କରି ଦେଇଥିଲେ। ସେହି ରାଗରେ ପୂର୍ବରୁ ଥରେ ଅଜୟଙ୍କ ଦୁଇ ପୁଅ ଗାଁରେ ପଶି ଗଣ୍ଡଗୋଳ କରି ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର